
ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଉପରମୁହାଁ ହୋଇଛି । ଏହାଯୋଗୁ ଶନିବାର ଗ୍ରାପ୍-୪ ଲାଗୁ କରାଯାଇଛି । ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ରବିବାର ସକାଳ ୬ଟାରେ ୪୦୦ ରେକର୍ଡ କରାଯାଇଛି ।
ଗ୍ରାପ-୪ ଅନୁସାରେ, ଅନ୍ୟ ରାଜ୍ୟରୁ ଆସୁଥିବା ଭାରୀ ଯାନଗୁଡ଼ିକ ଦିଲ୍ଲୀ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଅଥବା ଜରୁରି ସେବାରେ ସାମିଲ ଥିବା ଟ୍ରକ୍ଗୁଡ଼ିକୁ ଅନୁମତି ମିଳିବ । ସମସ୍ତ ସିଏନ୍ଜି, ଇଲେକ୍ଟ୍ରିକ ଏବଂ ବିଏସ୍-୬ ଡିଜେଲ ଟ୍ରକଗୁଡ଼ିକୁ ମଧ୍ୟ ଦିଲ୍ଲୀରେ ପ୍ରବେଶ ନିମନ୍ତେ ଅନୁମତି ମିଳିବ । ଏହାବ୍ୟତୀତ ଦିଲ୍ଲୀରେ ଥିବା ସ୍କୁଲଗୁଡ଼ିକ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ହାଇବ୍ରିଡ୍ ମଡେଲରେ ପରିଚାଳିତ ହେବ । ସମସ୍ତ ନିର୍ମାଣ କାର୍ଯ୍ୟକଳାପ ବନ୍ଦ ରହିବ । ଏଥିରେ ସଡ଼କ, ଫ୍ଲାଏଓଭର ଏବଂ ଅନ୍ୟ ଭିତ୍ତିଭୂମି କାର୍ଯ୍ୟ ଅନ୍ତର୍ଭୁକ୍ତ । ବାୟୁ ଗୁଣବତ୍ତା ସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ଏନ୍ସିଆର୍ରେ କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନକୁ ବନ୍ଦ ପାଇଁ ବିଚାର କରାଯାଇ ପାରିବ ।
ପାଣିପାଗ ବିଭାଗ ଅନୁଯାୟୀ, ଆଜି ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୨୨ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ରହିବ ବୋଲି ଆଶା କରାଯାଉଛି। ତଥାପି, ଜାନୁଆରୀ ୧୯ ତାରିଖରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇପାରେ। ଥଣ୍ଡା, ପ୍ରଦୂଷଣ ଏବଂ କୁହୁଡ଼ି ଯୋଗୁଁ ଦିଲ୍ଲୀରେ ଘନ କୁହୁଡ଼ି ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି।
