ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ଦିନିକିଆ ଶୃଙ୍ଖଳା ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଆଜି ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସଦୃଶ ହୋଇଛି। ପ୍ରଥମ ଦୁଇଟି ମ୍ୟାଚ୍କୁ ଉଭୟ ଦଳ ୧-୧ରେ ଜିତି ବରାବର ସ୍ଥିତିରେ ଥିବାରୁ, ଆଜିର ବିଜେତା ହିଁ ସିରିଜ୍ କବ୍ଜା କରିବ।
ଭାରତୀୟ ବ୍ୟାଟିଂ ବିଭାଗ ଉପରେ ସମସ୍ତଙ୍କ ନଜର ରହିଛି। ବିରାଟ କୋହଲି ଏବଂ ରୋହିତ ଶର୍ମା ଚମତ୍କାର ଫର୍ମରେ ଥିଲେ ହେଁ ଦ୍ୱିତୀୟ ମ୍ୟାଚରେ ଶସ୍ତାରେ ଆଉଟ୍ ହୋଇ ନିରାଶ କରିଥିଲେ। ତେବେ ଅଧିନାୟକ ଶୁବମନ ଗିଲଙ୍କ ଅର୍ଦ୍ଧଶତକ ଏବଂ ଅଭିଜ୍ଞ କେ.ଏଲ୍. ରାହୁଲଙ୍କ ଦମଦାର ଶତକ ଟିମ୍ ଇଣ୍ଡିଆ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଅନ୍ୟପଟେ, ବୋଲିଂ ବିଭାଗରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗତ ମ୍ୟାଚରେ ଷଷ୍ଠ ବୋଲରଙ୍କ ଅଭାବ ଅନୁଭବ ହୋଇଥିବା ବେଳେ ପ୍ରସିଦ୍ଧ କୃଷ୍ଣଙ୍କ ବଦଳରେ ଅର୍ଶଦୀପ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା ରହିଛି।
ନ୍ୟୁଜିଲାଣ୍ଡ ପକ୍ଷରୁ ଡାରିଲ ମିଚେଲ୍ ଫର୍ମରେ ଥିବାରୁ ଭାରତୀୟ ବୋଲରଙ୍କ ପାଇଁ ସେ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି। ତେବେ ପରିସଂଖ୍ୟାନ କହୁଛି ଯେ ଇନ୍ଦୋରର ହୋଲକର ଷ୍ଟାଡିୟମ ଭାରତ ପାଇଁ ଅତି ଭାଗ୍ୟଶାଳୀ। ୨୦୦୬ରୁ ଏପର୍ଯ୍ୟନ୍ତ ଏଠାରେ ଭାରତ ୭ଟି ମ୍ୟାଚ୍ ଖେଳି ସମସ୍ତ ମ୍ୟାଚରେ ବିଜୟୀ ହୋଇଛି। ରେକର୍ଡ ଅନୁଯାୟୀ ଏଠାରେ ଭାରତର ସଫଳତା ହାର ୭-୦ ରହିଛି। ୨୦୨୩ରେ ଅଷ୍ଟ୍ରେଲିଆକୁ ଏହି ମୈଦାନରେ ୯୯ ରନରେ ପରାସ୍ତ କରିଥିବା ଭାରତ, ଆଜି ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।
