
ଚିଲିକାରେ ଚଳିତ ବର୍ଷ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଓ ସ୍ଥାନୀୟ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି । ଚଳିତ ୧୮ତାରିଖରେ ପକ୍ଷୀ ଓ ୨୦ରେ ଡଲ୍ଫିନ ଗଣନା ନେଇ ଶୁକ୍ରବାର ପୂର୍ବାହ୍ନରେ ବାଲୁଗାଁସ୍ଥିତ ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ସଭାଗୃହରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସକାଳ ୬ଟାରୁ ଅପରାହ୍ଣ ୧ ଘଟିକା ଯାଏଁ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୨ଟି ଟିମ ପକ୍ଷୀ ଗଣନା କରିବେ । ପ୍ରତି ଟିମ୍ରେ ଜଣେ ପକ୍ଷୀ ବିଶାରଦ ଏବଂ ୩ରୁ ୫ ଜଣ ଗଣନାକାରୀ ରହିବେ । ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡ଼ିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ପକ୍ଷୀ ସୁରକ୍ଷା ସମିତି ସଦସ୍ୟମାନେ ସାମିଲ ହେବେ । ଗଣନା ସମୟରେ ଚିଲିକାରେ ମତ୍ସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ନିଷେଧ କରାଯାଇଥିବା ବେଳେ ଶନିବାର ପକ୍ଷୀ ଗଣନାକାରୀଙ୍କୁ ବଡ଼କୁଳସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଓ ତାଲିମ କେନ୍ଦ୍ରରେ ତାଲିମ ଦିଆଯିବ । ତାଲିମରେ ୧୩୦ରୁ ଅଧିକ ପକ୍ଷୀ ଗଣନାକାରୀ ସାମିଲ ହେବେ ।
ସେହିପରି ଚିଲିକାରେ ଡଲ୍ଫିନ ଗଣନା ୨୦ ତାରିଖରେ ହେବ । ଏହି ଗଣନା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୧୯ରେ ସାତପଡ଼ା ଓ ବାଲୁଗାଁ ଠାରେ ଗଣନାକାରୀଙ୍କୁ ତାଲିମ ଦିଆଯିବ । ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ ନିୟୋଜିତ ହେବେ । ପ୍ରତି ଟିମରେ ୫ରୁ ୬ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବେ ବୋଲି ଡିଏଫ୍ଓ ଜଣାଇଛନ୍ତି ।
