
ଇରାନରେ ଜାରି ରହିଥିବା ଦେଶବ୍ୟାପୀ ଜନ ଆନ୍ଦୋଳନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ ଶକ୍ତ ଚେତାବନୀ ଦେଇଛନ୍ତି। ଇରାନ ସରକାର ନିଜ ନାଗରିକଙ୍କ ଉପରେ କରୁଥିବା ଦମନଲୀଳାକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଯଦି ପ୍ରଦର୍ଶନକାରୀଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟ ଜାରି ରହେ, ତେବେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ। ଡେଟ୍ରଏଟରେ ଏକ କାର୍ଯ୍ୟକ୍ରମ ଅବସରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଇରାନର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।
ଇରାନରେ ଚାଲିଥିବା ଏହି ପ୍ରତିବାଦ ଏବେ ତୃତୀୟ ସପ୍ତାହରେ ପହଞ୍ଚିଥିବା ବେଳେ ଏହା ସାରା ଦେଶକୁ ବ୍ୟାପିବାରେ ଲାଗିଛି। ମାନବାଧିକାର ସଂଗଠନର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୯ ଜଣ ଶିଶୁଙ୍କ ସମେତ ଅତିକମରେ ୫୦୫ ଜଣ ପ୍ରଦର୍ଶନକାରୀ ପ୍ରାଣ ହରାଇଲେଣି। ଏହା ବ୍ୟତୀତ ୧୩୩ ଜଣ ସୁରକ୍ଷା ବାହିନୀ ସଦସ୍ୟ ଓ ଜଣେ ପବ୍ଲିକ ପ୍ରସିକ୍ୟୁଟରଙ୍କ ମୃତ୍ୟୁ ଘଟିଛି। ଟ୍ରମ୍ପ କହିଛନ୍ତି ଯେ ସେ ହ୍ବାଇଟ ହାଉସ ଫେରିବା ପରେ ହତ୍ୟା ଓ ମୃତ୍ୟୁଦଣ୍ଡ ସମ୍ପର୍କିତ ରିପୋର୍ଟର ସଠିକ ସମୀକ୍ଷା କରିବେ। ଇରାନରେ ହଜାର ହଜାର ଲୋକଙ୍କୁ ହତ୍ୟା କରାଯିବା ଘଟଣାକୁ ସେ ଅତ୍ୟନ୍ତ ଚିନ୍ତାଜନକ ବୋଲି ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ ଯେ, ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ୧୮୭ଟି ସହରର ୬୦୬ରୁ ଅଧିକ ସ୍ଥାନରେ ଦେଖିବାକୁ ମିଳିଛି। ଏହାକୁ ଇରାନ ଇତିହାସର ସବୁଠାରୁ ବଡ଼ ଜନ ଆନ୍ଦୋଳନ କୁହାଯାଉଛି। ଏହି ପ୍ରସଙ୍ଗରେ ବିଶ୍ୱ ସମୁଦାୟ ଦୁଇ ଭାଗରେ ବିଭାଜିତ ହୋଇଛି। କିଛି ଦେଶ ଏହାକୁ ବିଦେଶୀ ହସ୍ତକ୍ଷେପ କହୁଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକ ଇରାନ ସରକାରଙ୍କ ଦମନନୀତିକୁ ତୀବ୍ର ନିନ୍ଦା କରିଛନ୍ତି। ୱାଶିଂଟନର ଏହି କଡ଼ା ଆଭିମୁଖ୍ୟ ପରେ ଆଗାମୀ ଦିନରେ ଇରାନ ଉପରେ ଆଉ କିଛି ଆର୍ଥିକ କିମ୍ବା କୂଟନୈତିକ କଟକଣା ଲାଗୁ ହେବାର ସମ୍ଭାବନା ସୃଷ୍ଟି ହୋଇଛି।
