
ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ସରିଖି ଗାଁରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ। ପୁତୁରା ପରେଶ୍ ସ୍ୱାଇଁର ଖଣ୍ଡା ଚୋଟରେ ଦାଦା ମନୋଜ ସ୍ୱାଇଁଙ୍କ ଚାଲିଗଲା ଜୀବନ। ପୁଲିସ ଅଭିଯୁକ୍ତ ପରେଶ୍କୁ ଥାନାକୁ ଉଠାଇ ନେଇ ତନାଘନା ଆରମ୍ଭ କରିଛି। ଜମିବାଡ଼ି ବିବାଦକୁ ନେଇ ହତ୍ୟା ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ପୁତୁରା ପରେଶ୍ ଓ ଦାଦା ମନୋଜଙ୍କ ମଧ୍ୟରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ଏହି ଘଟଣା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ପୁତୁରା ଅମାନୁଷିକ ଭାବେ ସମ୍ପର୍କୀୟ ଦାଦାକୁ ଖଣ୍ଡାରେ ଆକ୍ରମଣ କରିଥିଲା। ଫଳରେ ଦାଦା ରକ୍ତାକ୍ତ ହୋଇ ଗୁରୁତର ହୋଇ ପଡ଼ିଥିଲେ । ପରିବାର ଲୋକ ତାଙ୍କୁ ତୁରନ୍ତ ମଣିଜଙ୍ଗା ମେଡ଼ିକାଲକୁ ଆଣିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ କଟକ ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ପୁତୁରା ଫେରାର ହୋଇଯିବାକୁ ଯୋଜନା କରୁଥିବା ବେଳେ ମାଡ଼ି ବସିଥିଲା ପୁଲିସ। ଅଭିଯୁକ୍ତକୁ ପରେଶ୍କୁ ଥାନାକୁ ଆଣି ତଦନ୍ତ କରୁଛି ପୁଲିସ ।

