
ମହିଳାଙ୍କ ପାଇଁ ଦେଶର ସବୁଠୁ ସୁରକ୍ଷିତ ସହର ତାଲିକାରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି । ଏହା ତଳକୁ ଚେନ୍ନାଇ, ପୁନେ ଏବଂ ହାଇଦ୍ରାବାଦ ତାଲିକାରେ ସ୍ଥାନିତ ହୋଇଛି । ୱାର୍କ ପ୍ଲେସ୍ କଲ୍ଚର କନ୍ସଲ୍ଟିଂ ଫାର୍ମ ଅବତାର ଗ୍ରୁପ୍ ରିପୋର୍ଟ ‘ଟପ୍ ସିଟିଜ୍ ଫର୍ ୱିମେନ ଇନ୍ ଇଣ୍ଡିଆ’ର ଚତୁର୍ଥ ସଂସ୍କରଣରେ ଏହି ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟରେ ଦେଶର ୧୨୫ ସହରକୁ ମହିଳାଙ୍କ ଭାଗିଦାରୀ, ସୁରକ୍ଷା, କ୍ୟାରିୟର ଅଭିବୃଦ୍ଧି, ଜୀବନ ବଞ୍ଚିବାର ଗୁଣବତ୍ତା ଆଧାରରେ ର୍ୟାଙ୍କ୍ ଦିଆଯାଇଛି । ବେଙ୍ଗାଲୁରୁ ସର୍ବାଧିକ ୫୩.୨୯ ସ୍କୋର କରି ତାଲିକାର ଶୀର୍ଷରେ ରହିଛି ।
ବେଙ୍ଗାଲୁରୁ ତଳକୁ ଦ୍ୱିତୀୟରେ ଥିବା ଚେନ୍ନାଇର ସ୍କୋର ୪୯.୮୬ ରହିଛି । ମହିଳାଙ୍କ ସୁରକ୍ଷା, ସାର୍ବଜନୀନ ସେବା, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ସାମାଜିକ କାରକରେ ଚେନ୍ନାଇ ଆଗରେ ରହିଛି । ଶୀର୍ଷ ୧୦ରେ ମୁମ୍ବାଇ, ଗୁରୁଗ୍ରାମ, କୋଲକାତା, ଅହମ୍ମଦାବାଦ, ଥିରୁଅନନ୍ତପୁରମ, କୋଏମ୍ବାଟୁର ରହିଛି । ପୁନେକୁ ୪୬.୨୭ ସ୍କୋର ମିଳିଥିବାବେଳେ ହାଇଦ୍ରାବାଦକୁ ୪୬.୦୪ ଏବଂ ମୁମ୍ବାଇକୁ ୪୪.୪୯ ସ୍କୋର ମିଳିଛି । ଗୁରୁଗ୍ରାମ ୨୦୨୪ ତୁଳନାରେ ଭଲ ପ୍ରଦର୍ଶନ କରିଛି । ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡା ଶିଳ୍ପ ମାମଲାରେ ଆଗରେ ରହିଥିଲେ ହେଁ ସୁରକ୍ଷା, ପରିବହନ, ଦରଦାମ ଦୃଷ୍ଟିରୁ ପଛୁଆ ଅଛି । ତିରୁଅନନ୍ତପୁରମ, ଶିମଲା ଏବଂ ତିରୁଚିରାପଲ୍ଲୀ ସାମାଜିକ ସମାବେଶ ଦୃଷ୍ଟିରୁ ଉନ୍ନତ ରହିଛି । କିନ୍ତୁ ରୋଜଗାର ସୁଯୋଗ ଏଠାରେ କମ୍ ।
ମୁମ୍ବାଇରେ ଚାକିରି, ଶିଳ୍ପ ମଜଭୁତ ଥିଲେ ହେଁ ଜୀବନଯାପନ ଲାଗି ଅତ୍ୟଧିକ ଖର୍ଚ୍ଚ ଏବଂ ଭିତ୍ତିଭୂମି ବଡ଼ ଚ୍ୟାଲେଞ୍ଜ । ୨୦୨୫ର ର୍ୟାଙ୍କିଙ୍ଗ ଟାୟର-୨ ସହରଗୁଡ଼ିକରେ ଭାଗିଦାରୀ ବଢ଼ିଛି । ଏହା ମହିଳା ଅନୁକୂଳ ସହର କେବଳ ମେଟ୍ରୋ ସହର ପର୍ଯ୍ୟନ୍ତ ସୀମିତ ନ ଥିବା ଦର୍ଶାଉଛି । ଦକ୍ଷିଣ ଭାରତ ସବୁଠୁ ଅଧିକ ସମାବେଶୀ କ୍ଷେତ୍ର ଭାବେ ଉଭା ହୋଇଛି । ଏଠାରେ ହାରାହାରି ସିଆଇଏସ୍ ୨୧.୬୦, ଏସ୍ଆଇଏସ୍ ୨୭.୮୧ ଏବଂ ଆଇଆଇଏସ୍ ୧୧.୬୧ ରହିଛି । ପଶ୍ଚିମ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଯେଉଁଠି ସବୁଠୁ ଅଧିକ ହାରାହାରି ଆଇଆଇଏସ୍ ୧୨.୦୧ ରେକର୍ଡ କରାଯାଇଛି । ମଧ୍ୟ ଏବଂ ପୂର୍ବ ଭାରତ ସୋସିଆଲ ଏବଂ ଇଣ୍ଡଷ୍ଟ୍ରିଆଲ୍ ଇନ୍କ୍ଲୁଜନରେ ପଛରେ ରହିଛି ।
