
ଦିଲ୍ଲୀ, ଗାଜିଆବାଦ କି ନୋଏଡ଼ା ନୁହେଁ, ବାୟୁ ପ୍ରଦୂଷଣରେ ଓଡ଼ିଶା ବର୍ତ୍ତମାନ ଏକ ନମ୍ବର । ଦେଶର ୧୦ଟି ବାୟୁ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ଟି ସହର । ଶୁକ୍ରବାର ସ୍ଥିତି ଏୟା । ତାଳଚେର ପାଲଟିଛି ଦେଶର ସବୁଠାରୁ ପ୍ରଦୂଷିତ ସହର, ଦ୍ୱିତୀୟରେ ରହିଛି ଅନୁଗୁଳ । ଗୁରୁବାର ସ୍ଥିତି ବି ଚିନ୍ତାଜନକ ଥିଲା । ରାଜ୍ୟର ୫ ସହର ଅତି ପ୍ରଦୂଷିତ ତାଲିକାରେ ଥିଲା ।
ଭୟଙ୍କର ରୂପ ନେଲାଣି ଧୂଳିକଣାର ଆସ୍ତରଣ । ରାସ୍ତାରେ ଯା’ଆସ କରିବାବେଳେ ନାକ ରୁନ୍ଧି ଦେଉଛି । କୋଇଲାନଗରୀ ତାଳଚେର ହେଉ କି ସ୍ମାର୍ଟ ସିଟି ଭୁବନେଶ୍ୱର କିମ୍ବା ଶିମିଳିପାଳ ପାଦଦେଶର ଛୋଟ ସହର ବାରିପଦା, ସବୁଠି ପ୍ରଦୂଷଣର ବିଷ ଘୂରି ବୁଲୁଛି । ସ୍ଥିତି ଏତେ ବିଗିଡ଼ିଗଲାଣି ଯେ, ନିର୍ମଳ ପବନ ଟିକିଏ ମିଳିବା ସ୍ୱପ୍ନ । ପ୍ରାତଃ ଭ୍ରମଣ ଓ ପାର୍କରେ ବ୍ୟାୟାମ କରିବାକୁ ଗଲେ ବି ପ୍ରଦୂଷଣର ବିଷ ଶ୍ୱାସ ଭିତରକୁ ପଶୁଛି । କିଛି ଘଣ୍ଟା ଗାଡ଼ି ବାହାରେ ରଖିଦେଲେ, ଉପରେ ପରସ୍ତ ଧୂଳି । ଘର ଭିତରକୁ ବି ଧସେଇ ପଶୁଛି ଧୂଳିକଣା ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ କହୁଛି, ଗତ ୨୪ ଘଣ୍ଟାରେ ତାଳଚେରରେ ଏକ୍ୟୁଆଇ ହାରାହାରି ୩୮୦ ଥିଲା, ଯାହାକି ଦେଶରେ ସର୍ବାଧିକ । ଅନୁଗୁଳରେ ୩୪୬, କଟକରେ ୩୨୪, ବାଲେଶ୍ୱରରେ ୩୧୮, ଭୁବନେଶ୍ୱରରେ ୩୧୭, ବାରିପଦାରେ ୩୧୨, କେନ୍ଦୁଝରରେ ୩୧୧, ବ୍ୟାସନଗରରେ ଏକ୍ୟୁଆଇ ୨୮୮ ଥିଲା । ବାୟୁମଣ୍ଡଳରେ ଧୂଳିକଣା ଜମାଟ ବାନ୍ଧିଥିବାବେଳେ କୁହୁଡ଼ି ସ୍ଥିତି ଅଧିକ ବିପଦ ବଢ଼ାଉଛି ।
ଶୁକ୍ରବାର ରାତି ୮ଟାବେଳେ ତାଳଚେରରେ ଏକ୍ୟୁଆଇ ୩୭୬, ଅପରାହ୍ନ ୪ଟାରେ ୩୮୦, ୩ଟାବେଳେ ଥିଲା ୩୮୬ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଅପରାହ୍ନ ୪ଟାବେଳେ ଏକ୍ୟୁଆଇ ୩୩୯ ଥିଲା । ସାଂଘାତିକ କଥା ହେଉଛି, ଭୋର ୪ଟାବେଳେ ବି ଏକାମ୍ରକ୍ଷେତ୍ର ଅଞ୍ଚଳରେ ଏକ୍ୟୁଆଇ ୩୩୪ ଥିଲା । କଟକ ସିଡିଏରେ ଅପରାହ୍ନ ୪ଟାବେଳେ ୩୨୪ ଥିଲା ଏକ୍ୟୁଆଇ । ଭୁବନେଶ୍ୱରର ସ୍ଥିତିରୁ ଜଣାପଡ଼ୁଛି, ସକାଳ ହେଉ କି ସନ୍ଧ୍ୟା ମୁକ୍ତ ଓ ବିଶୁଦ୍ଧ ପବନ ଆଶା କରିବା ବୃଥା । ପ୍ରାତଃ ଭ୍ରମଣ ଓ ବ୍ୟାୟାମ ପାଇଁ ସକାଳେ ଖୋଲା ଆକାଶ ତଳକୁ ଆସିଲେ ଶ୍ୱାସକ୍ରିୟାରେ ପ୍ରଦୂଷଣର ବିଷ ନେବାକୁ ହେବ ।
ଗତ କିଛିଦିନର ତଥ୍ୟକୁ ଅନୁଧ୍ୟାନ କଲେ, ଓଡ଼ିଶାରେ ବାୟୁ ପ୍ରଦୂଷଣ ଉଦବେଗଜନକ ରହିଛି । ଏଥିପାଇଁ ଛାତି ଓ ଫୁସଫୁସଜନିତ ରୋଗ ବଢ଼ୁଛି । ଥଣ୍ଡା, କାଶ, ଚକ୍ଷୁ ସମସ୍ୟା, ମୁଣ୍ଡ ବ୍ୟଥାରେ ଅନେକ ପୀଡ଼ିତ ହେଉଛନ୍ତି ।
ବିଶେଷଜ୍ଞଙ୍କ କହିବାନୁସାରେ ଦ୍ରୁତ ସହରୀକରଣ, ଗଛ କଟା, କଂକ୍ରିଟକରଣ, ଯାନବାହନ ଚଳାଚଳରେ ଅହେତୁକ ବୃଦ୍ଧି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଛି । ଧୂଳିକଣାକୁ ମାଟିରେ ଟାଣି ରଖିବାକୁ ଘାସ ବି ରହୁନି । ଅନ୍ୟପଟେ ସହରରେ ନିର୍ମାଣ କାର୍ଯ୍ୟ, ରାସ୍ତା ଖୋଳାତଡ଼ା ଯୋଗୁ ପ୍ରଦୂଷଣର ବଳୟ ମାଡ଼ି ମାଡ଼ି ଚାଲିଛି ।
