
ଦୁଇବର୍ଷରୁ କମ୍ ବୟସର ପିଲାମାନଙ୍କୁ କଫ୍ ସିରଫ ନ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଷାକ୍ତ କଫ ସିରପ ପିଇ ୧୧ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଏହି ଆଡଭାଇଜରି ଜାରି କରାଯାଇଥିଲା । ଏହି ଆଧାରରେ ମଧ୍ୟପ୍ରଦେଶ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟରେ ୯ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ କଫ୍ ସିରପ ବିକ୍ରି ଉପରେ ରୋକ ଲାଗିଛି । ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଗତକାଲି (ଶୁକ୍ରବାର), ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ (ଡିଜିଏଚ୍ଏସ୍) ଜାରି କରିଥିବା ଆଡଭାଇଜରିରେ କହିଥିଲେ ଯେ, ”୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଆଦୌ କଫ୍ ସିରପ ଦିଆଯିବା କଥା ନୁହେଁ । ୫ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ ସିରପ ଦେବାରୁ ଦୂରେଇ ରହିବା ଭଲ । ୫ରୁ ଅଧିକ ବର୍ଷର ପିଲାଙ୍କୁ କଫ ସିରପ ଦିଆଗଲେ ସତର୍କତା ଅବଲମ୍ବନ କରିବାକୁ ହେବ । ଯାହାଙ୍କୁ କଫ ସିରପ ଦିଆଯିବ ତାଙ୍କ ଉପରେ କଡା ନଜର ରଖିବାକୁ ହେବ । ତାକୁ ଉପଯୁକ୍ତ ପରିମାଣର ଖୋରାକ ମଧ୍ୟ ଦିଆଯିବା ଆବଶ୍ୟକ । ଯଥାସମ୍ଭବ କମ୍ ସମୟ ପାଇଁ ଏହି ସିରପ ଦିଆଯିବା ଦରକାର ଏବଂ ସିରପ ସହିତ ଅନ୍ୟ କୌଣସି ଔଷଧ ଦିଆଯିବା ଉଚିତ ନୁହେଁ । ”
