
ଦଶହରା ଉପଲକ୍ଷେ ତାଳଚେର ସାଉଥବଲଣ୍ଡା ଠାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ବର୍ଷା ପାଇଁ ସଠିକ ଭାବରେ ବାଣ ଫୁଟି ନଥିବା ବେଳେ ଏକ ଅଫୁଟା ବାଣ ଫୁଟି ଜଣେ ନାବାଳକ ଗୁରୁତର ହୋଇଛି । ସୂଚନା ଅନୁସାରେ ରାବଣ ପୋଡି ଉତ୍ସବ ଆରମ୍ଭ ପୂର୍ବରୁ ବର୍ଷା ହୋଇଥିଲା । ଯାହା ଫଳରେ ରାବଣ ପୋଡି ବେଳେ ଖଞ୍ଜା ଯାଇଥିବା ବାଣ ସଠିକ ଭାବେ ଫୁଟି ନଥିଲା । କୌଣସି ପ୍ରକାରେ ଚେଷ୍ଟା କରି ରାବଣ ପୋଡି କରାଯିବା ପରେ ଆୟୋଜକ ଏବଂ ଦର୍ଶକ ଚାଲି ଯାଇଥିଲେ ।
ତେବେ ଅନେକ ବାଣ ଅଫୁଟା ରହିଯାଇଥିଲା । ଆୟୋଜକ କମିଟି ସଦସ୍ୟ ମାନେ ଅଫୁଟା ବାଣକୁ ନିଷ୍କ୍ରିୟ କରିବା ପରିବର୍ତ୍ତେ ସେହିଭଳି ଛାଡି ଯାଇଥିଲେ। ପରଦିନ ସକାଳେ ସେହି ପଡିଆରେ କିଛି ପିଲା ଖେଳାଖେଳି କରିଥିଲେ । ପଡିଥିବା ଅଫୁଟା ବାଣ ଉପରେ ଖେଳାଖେଳି କରୁଥିବା ବେଳେ ୯ ବର୍ଷ ବୟସର ଲକ୍ଷ୍ମଣ ସୋରେନ ନାମକ ଜଣେ ବାଳକ ଖେଳୁଥିବା ବେଳେ ବାଣ ଫୁଟି ତାଙ୍କ ବେକରେ ବାଜିଥିଲା । ଯାହା ଫଳରେ ଲକ୍ଷ୍ମଣଙ୍କ ବେକରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ କ୍ଷତ ଗୁରୁତ୍ଵର ଥିବାରୁ ସେ କଥା କହି ପାରୁ ନାହାଁନ୍ତି କି କିଛି ଖାଦ୍ୟ ଖାଇ ପାରୁ ନାହାଁନ୍ତି ।
ତେବେ ଆୟୋଜକ ମାନେ ରାବଣ ପୋଡି ଉତ୍ସବ ସରିବା ପରେ ସଠିକ ଭାବେ ଜାଞ୍ଚ ନ କରିବା ଯୋଗୁଁ ଏବଂ ଅଫୁଟା ବାଣ ଗୁଡିକୁ ଖୋଜି ନଷ୍ଟ ନ କରିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା ନାବାଳକ ବାପା ଭୁକ୍ତ ସୋରେନ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ନାବାଳକଙ୍କ ନିକଟରେ ପହଁଚି ପରିବାରକୁ ଆଶ୍ଵାସନା ଦେବା ସହ ଉତ୍ତମ ଚିକିତ୍ସା ପାଇଁ ନାବାଳକକୁ କଟକ ସ୍ଥାନାନ୍ତର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
