
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଏବେ ଶୀର୍ଷ ସ୍ଥାନରେ ପହଞ୍ଚିଛି। ଅଧର୍ମ ଉପରେ ଧର୍ମର ବିଜୟର ଏହି ମହାନ ପର୍ବରେ ଚତୁର୍ଥ ଦିବସ ଶେଷ ହୋଇଥିବା ବେଳେ ଗୋପପୁର ଓ ମଥୁରା ନଗରୀ ଉତ୍ସବମୁଖର ହୋଇଉଠିଛି। ଗୋପପୁର ସାଜିଥିବା ଅମ୍ବାପାଲିରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦ୍ୱାପର ଯୁଗର ଭ୍ରମ ସୃଷ୍ଟି କରୁଥିବା ବେଳେ କଂସ ମହାରାଜଙ୍କ ଅତ୍ୟାଚାର ଓ ଭୟର କାହାଣୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି।
ଯାତ୍ରାର ଚତୁର୍ଥ ଦିବସରେ ଗୋପପୁରରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଗୋପ ବାଳକଙ୍କ ଗହଣରେ ଶ୍ରୀକୃଷ୍ଣ ଓ ବଳରାମ ବୁଲୁଥିବା ବେଳେ ଘରେ ଘରେ ସେମାନଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଏହି ସମୟରେ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ପୁତନା, ବକା, ଶକଟା, ତୃଣା ଓ ଧେନୁକା ଭଳି ଭୟଙ୍କର ରାକ୍ଷସ ଏବଂ ଅଷ୍ଟମଲ୍ଲ କୃଷ୍ଣ-ବଳରାମଙ୍କ ହାତରେ ନିହତ ହୋଇଛନ୍ତି। ପୁତନା ରାକ୍ଷସୀର ମୃତ୍ୟୁ ଓ ବୀର ମଲ୍ଲଙ୍କ ପରାଜୟ ଖବର ଶୁଣି ମହାରାଜ କଂସ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଏବେ କଂସଙ୍କୁ ମୃତ୍ୟୁର ଭୟ ଘାରିଛି ଏବଂ ସେ କୃଷ୍ଣ-ବଳରାମଙ୍କୁ ହତ୍ୟା କରିବା ପାଇଁ ନୂତନ ଷଡ଼ଯନ୍ତ୍ର ପ୍ରସ୍ତୁତ କରୁଛନ୍ତି।
ଚତୁର୍ଥ ଦିବସରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଧନୁଯାତ୍ରାର ଗରିମା ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ଏହି ମୁକ୍ତାକାଶ ରଙ୍ଗମଞ୍ଚକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ଏବଂ ଏହାକୁ ୟୁନେସ୍କୋ (UNESCO) ମାନ୍ୟତା ପ୍ରଦାନ କରିବା ପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରୟାସ ଜାରି ରହିଛି।
ଆଜି ଯାତ୍ରାର ପଞ୍ଚମ ଦିନରେ ଗୋପପୁରରେ ‘କାଳୀୟ ଦଳନ’ କାହାଣୀ ପରିବେଶିତ ହେବ। କାଳୀୟ ନାଗର ଗର୍ବ ଖର୍ବ କରି ଯମୁନା ନଦୀକୁ କିଭଳି ଭଗବାନ ଶ୍ରୀକୃଷ୍ଣ ବିଷମୁକ୍ତ କରୁଛନ୍ତି, ତାହା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି।
