
କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନା ଘାଟି କୁନ୍ଦୁରୁବୁରୁ ନିକଟରେ ଅଘଟଣ। ୫୨୦ ନମ୍ବର ଜାତୀୟ ରାଜପଥରେ ଶନିବାର ଭୋର ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କେ ବଲାଙ୍ଗ ଥାନା ଅନ୍ତର୍ଗତ କୁନ୍ଦୁରୁବୁରୁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ କୋଇଡ଼ା ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ବଣାଇଁ ପଟକୁ ଆସୁଥିବା ଏକ ଲୌହ ପଥର ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି ।

ଲୌହ ପଥର ବୋଝେଇ ଟ୍ରକ୍ ଚୁନା ଘାଟିରୁ ଓହ୍ଲାଉଥିବା ସମୟରେ ଗାଡ଼ିଟିର ବ୍ରେକ୍ ଫେଲ୍ ହୋଇଥିଲା। ଫଳରେ ଭାରସାମ୍ୟ ହରାଇ ଟ୍ରକ୍ ଚାରି ଥାକିଆ ରାସ୍ତା ଡିଭାଇଡରକୁ ଡେଇଁ ଅପର ପାର୍ଶ୍ଵକୁ ଚାଲିଯାଇଥିଲା। ଅପର ପାର୍ଶ୍ଵରେ କୋଇଡ଼ା ପଟକୁ ଯାଉଥିବା କୋଇଲା ବୋଝେଇ ଟ୍ରକ୍ କୁ ଧକ୍କା ଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଁଞ୍ଚି ଦୀର୍ଘ ସମୟ ପରେ ଶବ ଉଦ୍ଧାର କରିଛନ୍ତି। କେ.ବଲାଙ୍ଗ ପୁଲିସ ତଦନ୍ତ ଜାରି ରଖିଛି। ମୃତ ଦୁଇ ଚାଳକ ମଧ୍ୟରେ ଜଣେ ବଡ଼ବିଲ୍ ଅଞ୍ଚଳର ଓ ଅନ୍ୟ ଜଣକ ଉତ୍ତରପ୍ରଦେଶ ଅଞ୍ଚଳର ବୋଲି ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି I
