ଆଜି ବିଜୁ ଜନତା ଦଳ ପାଳିବ ୨୯ତମ ଜନ୍ମ ଦିନ, ଦଳରେ ଥମୁନି ବୟାନବାଜି, ସଞ୍ଜୀବନୀ ଦେବେ କି ନବୀନ ?

ଶଙ୍ଖ ପତାକା ଉଡ଼ିବ, କେକ୍ କଟିବ । ଫୁଲ, ବେଲୁନ ସବୁ ପ୍ରସ୍ତୁତ । ସଜେଇ ହେଲାଣି ଶଙ୍ଖ ଭବନ । ଆଜି ବିଜୁ ଜନତା ଦଳ ପାଳିବ ୨୯ତମ ଜନ୍ମ ଦିନ। ଏତେ ଆୟୋଜନ ଭିତରେ ଦ୍ୱନ୍ଦ୍ୱରେ ଦଳର ଅନେକ ନେତା ଓ ତୃଣମୂଳ ସ୍ତରର କର୍ମୀ । କ’ଣ ହେବ? କେମିତି ଦଳ ଆଗକୁ ବଢ଼ିବ? କେଉଁଠୁ ପାଇବ ବଳ? ପ୍ରତିଷ୍ଠା ଦିବସରେ ଦଳକୁ କି ସଞ୍ଜୀବନୀ ଦେବେ ନବୀନ? ଏହା ଉପରେ ବିଜେଡି ସମେତ ସମସ୍ତ ରାଜନୈତିକ ଦଳର ଆଖି ଲାଖିଛି ।

୨୮ ବର୍ଷର ଲମ୍ବା ଯାତ୍ରା ଭିତରେ ବିଜେଡି ବର୍ତ୍ତମାନ ସବୁଠାରୁ କଠିନ ସ୍ଥିତି ଦେଇ ଗତି କରୁଛି । ୨୪ ବର୍ଷ କାଳ ନିରନ୍ତର ମୁଖ୍ୟମନ୍ତ୍ରୀ ପଦରେ ଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ନିଜ ରାଜନୈତିକ ଜୀବନ ଯାତ୍ରା ଭିତରେ ସବୁଠୁ ସଂଘର୍ଷପୂର୍ଣ୍ଣ ଓ ଆହ୍ୱାନପୂର୍ଣ୍ଣ ସ୍ଥିତିର ମୁକାବିଲା କରୁଛନ୍ତି । ଦଳ ଭିତରେ ବୟାନବାଜି, ଗୋଷ୍ଠୀ ବିବାଦ, ମେଳି ରାଜନୀତି ଥମିବାର ନାଁ ଧରୁନି । କାଲି ଯାଏଁ ନବୀନ ନିବାସର ବିନା ଅନୁମତିରେ ଯେଉଁ ପାର୍ଟିରେ ପତ୍ରଟିଏ ହଲୁନଥିଲା, ଆଜି ସେ ଦଳରେ କନିଷ୍ଠରୁ ବରିଷ୍ଠ ଯାଏ ଗଣମାଧ୍ୟମରେ ନିତି ନିଆଁ ଲଗା ବୟାନବାଜି କରୁଛନ୍ତି ।
୨୦୨୪ର ଶକ୍ତ ପରାଜୟରୁ ଦଳ ବାହାରି ପାରୁନଥିବାବେଳେ ନୂଆପଡ଼ାର ଶୋଚନୀୟ ପ୍ରଦର୍ଶନ ଦଳକୁ ଦୋହଲାଇ ଦେଇଛି । ରାୟଗଡ଼ାରେ ଦଳ ଯେଉଁ ଝଟକା ଖାଇଥିଲା, ତାହା ଏଯାଏଁ ଭରଣା ହୋଇନି । ଏପଟେ ଭଦ୍ରକରେ ସଂଗଠନର ମାଟି ଧସିଲାଣି । ଗୋଟିଏ ପରେ ଗୋଟିଏ କରି ପ୍ରାୟ ୧୮ଟି ବ୍ଲକ ବିଜେଡି ହାତରୁ ଖସି ବିଜେପି କବଜାକୁ ପଳାଇଲାଣି । ବହୁ ବଡ଼ ନେତା ଶାସକ ଦଳ ଯୋଗାଯୋଗରେ ରହିଛନ୍ତି । ଏମିତି ସ୍ଥିତିରେ ନବୀନ କେମିତି କର୍ମୀଙ୍କୁ ଉତ୍ସାହିତ କରିବେ? କି ମନ୍ତ୍ର ଦେବେ ନବୀନ? ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଦଳ ଭିତରେ ଓ ବାହାରେ ଅନେକ ଚର୍ଚ୍ଚା ଚାଲିଛି । ଏ ସମସ୍ତ ଚର୍ଚ୍ଚାକୁ ଡେଇଁ ନବୀନ କିଭଳି ଦଳକୁ ନୂଆ ଦିଗଦର୍ଶନ ଦେବେ, ତାହା କାଲିର ଭାଷଣରୁ ଜଣାପଡ଼ିବ । ବିଭିନ୍ନ ଚର୍ଚ୍ଚାରେ କେତେ ସତ ଓ କେତେ ଗୁଜବ, କାଲି ତାହା ନବୀନ ସ୍ପଷ୍ଟ କରିବେ । ନିରାଶା ଭିତରୁ ବାହାରି ନବୀନ ସରକାର ବିରୋଧରେ କେଉଁ ସବୁ ପ୍ରସଙ୍ଗକୁ ଅସ୍ତ୍ର କରିବେ?

ନବୀନଙ୍କ ଭାଷଣକୁ ଲକ୍ଷଲକ୍ଷ ବିଜେଡି କର୍ମୀ ଅନେଇ ରହିଛନ୍ତି । ହେଲେ ଏପଟେ ଦଳ ଭିତରେ ବୟାନବାଜି ଥମୁନି । ବରିଷ୍ଠ ନେତା ଭୂପିନ୍ଦର ସିଂ ଆଜି ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ବର୍ତ୍ତମାନ କୌଣସି ନୂଆ ନେତୃତ୍ୱର ଆବଶ୍ୟକତା ନାହିଁ । ନବୀନ ସୁସ୍ଥ ଓ ଫିଟ ଅଛନ୍ତି । ନବୀନଙ୍କୁ ଛାଡ଼ି ବିଜେଡିର କିଛି ମାନେ ନାହିଁ । ନବୀନ ମାନେ ବିଜେଡି ଓ ବିଜେଡିର ଅର୍ଥ ନବୀନ । ନବୀନଙ୍କ ବିନା ବିଜେଡି ଭାଗ ଭାଗ ହୋଇଯିବ । ଯଦି କିଛି ନୂଆ ନେତୃତ୍ୱ କଥା ଚିନ୍ତା କରାଯାଏ, ତାହା ଦଳ ପାଇଁ କ୍ଷତିକାରକ । ଦଳର ସଭାପତି ମଧ୍ୟ ଏକଥା ଅନୁଭବ କରିଛନ୍ତି ବୋଲି ସେ କହିଛନ୍ତି । ଦଳର ପରିଚାଳନା ନେଇ ଭୂପିନ୍ଦର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଭୂପିନ୍ଦରଙ୍କ ମନ୍ତବ୍ୟ ନେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଯଦି ତାଙ୍କର କିଛି ଅଭିଯୋଗ ରହିଛି, ଦଳୀୟ ଫୋରମରେ ଜଣାନ୍ତୁ । ଅନେକ ଦିନ ହେବ ସେ କେବଳ ଗଣମାଧ୍ୟମରେ କହୁଛନ୍ତି । ନିର୍ଦ୍ଦିଷ୍ଟ ଅଭିଯୋଗ ଥିଲେ ଦଳର ସଭାପତିଙ୍କୁ ଅବଗତ କରାଇପାରିବେ । ତେବେ ଦଳରେ ମେଳି ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଠିକ୍ ନୁହେଁ । ପିକନିକ ମାସରେ ଭୋଜିକୁ ଯଦି ମେଳି କୁହାଯିବ, କ’ଣ କରିବା?

