
ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲିକ ବିବାଦ ପାଇଁ ଖବରରେ ରହିଆସିଛନ୍ତି । ବିବାଦୀୟ ବୟାନ ହେଉ କିମ୍ବା ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି, ଏହି ପୂର୍ବତନ କ୍ରିକେଟର ଚର୍ଚ୍ଚାକୁ ଆସିଥାନ୍ତି । ଗତବର୍ଷ ସୋଏବ ମଲିକ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କୁ ତଲାକ ଦେଇ ତୃତୀୟ ଥର ବିବାହ କରିଥିଲେ । ଏବେ ତାଙ୍କର ତୃତୀୟ ବିବାହ ମଧ୍ୟ ଭାଙ୍ଗିବାକୁ ଯାଉଛି । ତାଙ୍କ ତୃତୀୟ ବିବାହରେ କିଛି ଭଲ ଚାଲିନାହିଁ ଏବଂ ଏହା ଶେଷ ହେବାକୁ ଯାଉଛି ବୋଲି କୁହାଯାଉଛି ।
ସୋଏବ ମଲିକ ଏବଂ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦ ଜାନୁଆରୀ ୨୦୨୪ ରେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସୋଏବ, ସାନାଙ୍କୁ ବିବାହ କରିବା ଖବର ପ୍ରସାରିତ ହେବା ପୂର୍ବରୁ ସେ ସାନିଆଙ୍କୁ ତଲାକ ଦେଇଥିଲେ । ଏକଥା ସାନିଆଙ୍କ ପରିବାର ମଧ୍ୟ ସ୍ପଷ୍ଟ କରିଥିଲା । ସୋଏବ ସୋସିଆଲ ମିଡିଆରେ ସାନା ଜାଭେଦଙ୍କ ସହିତ ତାଙ୍କ ବିବାହର ଏକ ଫଟୋ ପୋଷ୍ଟ କରିଥିଲେ।
ସୋଏବଙ୍କ ଭଉଣୀ ମଧ୍ୟ କହିଥିଲେ ଯେ, ସୋଏବଙ୍କ ଏକାଧିକ ସଂପର୍କକୁ ନେଇ ସାନିଆ ଅସନ୍ତୋଷ ଥିଲେ । ସାନିଆଙ୍କଠାରୁ ଛାଡ଼ପତ୍ର ପରେ ସୋଏବ ସାନା ଜାଭେଦଙ୍କୁ ତୃତୀୟ ବିବାହ କରିଥିଲେ। କିନ୍ତୁ, ଦେଢ଼ ବର୍ଷ ପରେ ବିବାହ ଭାଙ୍ଗିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପ୍ରକୃତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସୋଏବ ମଲିକ ଏବଂ ସାନା ଜାଭେଦ ଏକ କାର୍ଯ୍ୟକ୍ରମରେ ଏକାଠି ବସିଥିବାର ଦେଖାଯାଇଛି। କିନ୍ତୁ ସେମାନେ କୌଣସି କଥାବାର୍ତ୍ତା ହେଉ ନଥିବା ଦେଖିବାକୁ ମିଳିଛି। ଯେତେବେଳେ ସୋଏବ ଅଟୋଗ୍ରାଫ ଦେଉଥିଲେ, ସାନା ଅପରପାର୍ଶ୍ବକୁ ମୁହଁ କରି ବସିଥିଲେ। ତାଙ୍କର ଅସନ୍ତୋଷ ସ୍ପଷ୍ଟ ଭାବରେ ବାରି ହୋଇପଡ଼ୁଛି।
ଏହି ଭିଡିଓ ଭାଇରାଲ ହେବା ପରଠାରୁ ସୋଏବ ଏବଂ ସାନାଙ୍କ ସମ୍ପର୍କ ଭାଙ୍ଗିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏଥିରେ କେତେ ସତ୍ୟତା ଅଛି ତାହା ଆଗାମୀ ସମୟରେ ଜଣାପଡ଼ିବ । ସୋଏବ ମଲିକଙ୍କ ପ୍ରଥମ ପତ୍ନୀ ଥିଲେ ଆୟେଶା ସଇଦ । ତାଙ୍କ ସହ ୮ ବର୍ଷ ରହିବା ପରେ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ସେମାନେ ଅଲଗା ହୋଇଯାଇଥିଲେ । ତା’ପରେ ସାନିଆ ଏବଂ ସୋଏବ ୨୦୧୦ ରେ ବିବାହ କରିଥିଲେ । କିନ୍ତୁ ୨୦୨୪ ରେ ଏହି ବିବାହରେ ପୂର୍ଣ୍ଣଛେଦ ପଡ଼ିଥିଲା । ସାନା ହେଉଛନ୍ତି ସୋଏବଙ୍କ ତୃତୀୟ ପତ୍ନୀ। ଏହା ସାନାଙ୍କର ଦ୍ୱିତୀୟ ବିବାହ। ସେ ମଧ୍ୟ ସୋଏବଙ୍କୁ ବିବାହ କରିବା ପୂର୍ବରୁ ତାଙ୍କର ପୂର୍ବ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲା ।

