
ଘନ କୁହୁଡ଼ି ଯୋଗୁଁ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ବାଇପାସ୍ ଛକ ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ପିଟିହୋଇ ଓଲଟିଲା ଅଟୋ। ଫଳରେ ଜଣଙ୍କ ମୃତ୍ୟୁ ହୋଇ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ।
ସୂଚନା ମୁତାବକ, ଅନୁଗୋଳ ଅଞ୍ଚଳର ୬ ଯୁବକ ଏକ ଅଟୋ ଯୋଗେ ଚିଲିକା ବୁଲିବାକୁ ଯାଉଥିଲେ । ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଇ ନଥିଲା । ଫଳରେ ରୋଡ୍ ଡିଭାଇଡରରେ ପିଟିହୋଇ ଅଟୋ ଓଲଟି ପଡିଥିଲା । ଏହି ସମୟରେ ଅଟୋରୁ ଜଣେ ଯାତ୍ରୀ ରାସ୍ତାରେ ଛିଟିକି ପଡିଥିଲେ । ପଛପଟୁ ଦ୍ରୁତ ଗତିରେ ଆସୁଥିବା ପିକ୍-ଅପ୍ ଭ୍ୟାନ୍ ଯାତ୍ରୀ ଜଣକୁ ଚାପିଦେଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେଲା । ଅନ୍ୟପଟେ ଅଟୋରେ ଥିବା ଅନ୍ୟ ଯାତ୍ରୀମାନେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆହତଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।
