
ରାଜ୍ୟରେ ଲାଗି ରହିବ ଶୀତ ପ୍ରକୋପ । ନୂଆବର୍ଷ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା ନାହିଁ । ଏପଟେ କୁହୁଡ଼ି ବଢ଼ିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିବ । ଆସନ୍ତା ୬ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।
ଗୁରୁବାର ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳରେ ଘନ କୁହୁଡ଼ି ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ବଡ଼ଦିନ ଓ ଖ୍ରୀଷ୍ଟମାସ ଅବସରରେ ଗୁରୁବାର ରାତି ଓ ଶୁକ୍ରବାର ସକାଳେ ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳର କେତେକ ସ୍ଥାନରେ ଘନ କୁହୁଡ଼ି ଆଶଙ୍କା ଅଛି । ସମ୍ବଲପୁର, ଜଗତସିଂହପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।
୨୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଓ ଘନ କୁହୁଡ଼ି ଆଶଙ୍କା ରହିଛି । ମଙ୍ଗଳବାର ରାତିରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬.୧, ସେମିଳିଗୁଡ଼ାରେ ୬.୬, ଝାରସୁଗୁଡ଼ା ୬.୮, ଦାରିଙ୍ଗିବାଡ଼ିରେ ୭.୫, ଜି.ଉଦୟଗିରିରେ ୮.୭, ନବରଙ୍ଗପୁର ୮.୯, ଫୁଲବାଣୀରେ ୯, କିରେଇ ୯.୩, ବୌଦ୍ଧ ୯.୭, ଚିପିଲିମା ୯.୯ ଡିଗ୍ରୀ ଥିଲା । ୧୦ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତା’ଠାରୁ କମ୍ ଥିଲା । କଟକରେ ୧୩.୪, ଭୁବନେଶ୍ୱରରେ ୧୩.୬, ଖୋର୍ଦ୍ଧାରେ ୧୨ ଡିଗ୍ରୀ ଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୬.୬ ଓ ଝାରସୁଗୁଡ଼ାରେ ୫.୩ ଡିଗ୍ରୀ କମ୍ ଥିଲା ।
