
ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ସଜେଇ ହୋଇଛି କଂସଙ୍କ ରାଜ ଦରବାର ସମେତ ରଂଗମହଲ । ଚଳିତଥର ୭୮ ବର୍ଷରେ ପଦାର୍ପଣ କରିବ ବରଗଡ଼ ଧନୁଯାତ୍ରା। ଆଜିଠୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ଯାତ୍ରା। ଯାହାକୁ ନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇ ଉଠିଥିବା ବେଳେ ଏହାର ପ୍ରସ୍ତୁତି କାମ ଯୋରସୋରରେ ଆଗେଇ ଚାଲିଛି । ଏଥିପାଇଁ ବରଗଡ଼ ହାଟପଦା ଠାରେ ମହାରଜ କଂସ ଙ୍କ ପ୍ରାୟ ୭୦ ଫୁଟ ଉଚ୍ଚତା ଏବଂ ୧୨୦ ଫୁଟ ପ୍ରସ୍ଥର ରାଜଦରବାର ନିର୍ମାଣ ଚାଲିଥିବା ବେଳେ ୫୫ ଜଣ କାରିଗର ଆସି ଦିନରାତି କାମ କରୁଛନ୍ତି ।
ଚଳିତବର୍ଷ କଂସଙ୍କ ରାଜଦରବାର ଯେପରି ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ କମିଟି ଅଧିକ ଗୁରୁତ୍ୱ ଦେଇଛି । ବାହାର ବ୍ୟବସାୟୀଙ୍କ ପାଇଁ ଜମି ଆଲାର୍ମେଣ୍ଟ ଜୋର୍ ସୋରରେ ଜାରି ରହିଥିବା ବେଳେ ଯାତ୍ରା ସମୟରେ ସହର କୁ ସ୍ୱଚ୍ଛ ସୁନ୍ଦର କରିବା ପ୍ରୟାସ ଜାରି ରଖିଛି ଜିଲ୍ଲା ପ୍ରଶାସନ । ବେଳେ କାରିଗର ମଧ୍ୟ ଦ୍ୱାପର ଯୁଗର କଂସଙ୍କ ଦରବାର ଭଳି ଏହି ମଂଚକୁ ଗଢ଼ିତୋଳିବାକୁ ଉତ୍ସାହିତ ଅଛନ୍ତି ଏବଂ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କାମ କରୁଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି ।
ସେହିପରି ସ୍ଥାନୀୟ ଲୋକମଣ୍ଡପ ପଡ଼ିଆରେ ମହାରାଜ କଂସଙ୍କ ରଙ୍ଗ ମହଲର ନିର୍ମାଣ ଚାଲିଛି । ବରଗଡ଼ର ପ୍ରାୟ ସାତ କିଲୋମିଟର ପରିଧି ମଧ୍ୟରେ ୧୪ଟି ମଂଚରେ ଏହି ଧନୁଯାତ୍ରା ମହୋତ୍ସବ ପାଳିତ ହେବ । କଂସ ଦରବାର, ରଂଗମହଲ ଓ ନନ୍ଦ ଦରବାରରେ ପ୍ରତିଦିନ ଧନୁଯାତ୍ରା ର ଦୃଶ୍ୟଗୁଡ଼ିକ ଅଭିନୀତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି କମିଟି ଏହି ତିନୋଟି ମଂଚର ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ।
