
ଏବେ କଳିଯୁଗ ନୁହଁ, ଏଆଇ ଯୁଗ । ସାଧାରଣ ଲୋକଠୁ ଆରମ୍ଭ କରି ଅନେକ ଲୋକ କର୍ମକ୍ଷେତ୍ରରେ ମଧ୍ୟ ଏଆଇର ବ୍ୟବହାର କରୁଛନ୍ତି । ଆଜିକାଲି ଫଟୋ-ଭିଡିଓ ଏଡିଟିଙ୍ଗ୍, ୱାର୍କ କଲଚର୍ ସବୁଥିରେ ଏଆଇ ଏଣ୍ଟ୍ରି କରିସାରିଲାଣି । ଆଜି ଯେଉଁ ଏଆଇ ଆପଣଙ୍କ କାମକୁ ସହଜ ଓ ସୁବିଧା କରିଦେଉଛି କାଲି ଏହା କେତେ ଯେ ଭୟଙ୍କର ହୋଇପାରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆପଣଙ୍କ ଅଜାଣତରେ ଏହି ଏଆଇର ମସ୍ତିଷ୍କକୁ ଧିରେ ଧିରେ ଦୁର୍ବଳ କରୁଛି । ମଣିଷର ଶିଖିବା କ୍ଷମତା ଏବଂ ନୂଆ କିଛି ରଚନା କରିବାର ଦକ୍ଷତା ହ୍ରାସ ପାଇବାର ଆଶଙ୍କା ବଢ଼ିଛି । ଆଉ କିଛି ବର୍ଷ ଏହାର ବ୍ୟବହାର ପରେ ମଣିଷକୁ ଯେ ପାଗଳ କରିନଦେବ ଏଥିପାଇଁ କ’ଣ ଗ୍ୟାରେଣ୍ଟି ଅଛି ? ପ୍ରାୟ ସବୁ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ବ୍ୟବହାର ଦ୍ରୁତଗତିରେ ବଢ଼ିଚାଲିଛି । ସୃଜନଶୀଳତା ହେଉ କିମ୍ବା ଟେକ୍ନୋଲୋଜି, କଷ୍ଟରୁ କଷ୍ଟକର ପ୍ରଶ୍ନର ଉତ୍ତର ଏଆଇ ଚୁଟ୍କିରେ ଦେବାକୁ ସକ୍ଷମ । ଏହାର ବ୍ୟବହାରରେ ମଣିଷ ନିଜର ସମୟ ଏବଂ ଶକ୍ତି ଉଭୟ ବଞ୍ଚାଇବାରେ ସଫଳ ହେଉଛି । କିନ୍ତୁ, ମଣିଷ ଉପରେ ଏହାର କୁପ୍ରଭାବ କେତେ ମାତ୍ରାରେ ପଡ଼ିପାରେ ଆସନ୍ତୁ ଜାଣିବା ।

ଗଭୀରତାର ସହ ବିଶ୍ଳେଷଣ କଲେ ଏଆଇର ବ୍ୟବହାର ମଣିଷର ସୃଜନଶୀଳତା ହ୍ରାସ କରିବା ସହ ମସ୍ତିଷ୍କର ଉପଯୋଗ ମଧ୍ୟ କମାଉଛି । ଯଦି ପ୍ରତ୍ୟେକ କ୍ଷେତ୍ରରେ ମଣିଷ ମୁଣ୍ଡ ନ ଖଟାଇ ଏଆଇ ଦ୍ୱାରା କାମ ହାସଲ କରେ ତେବେ ଧିରେ ଧିରେ ଆମ ମସ୍ତିଷ୍କ ଦୁର୍ବଳ ହେବାର ଆଶଙ୍କା ରହିଥିବା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏମ୍ଆଇଟି)ଏକ ଅଧ୍ୟୟନରେ ଏନେଇ ରିପୋର୍ଟ ପ୍ରକାଶ କରିଥିଲା । ଏଥିରୁ ଜଣାପଡ଼ିଥିଲା ଯେ, ଯେଉଁମାନେ କିଛି ଲେଖିବା ଲାଗି ଚାଟ୍ ଜିପିଟି କିମ୍ବା ଅନ୍ୟ ଏଆଇ ଟୁଲ୍ସ ବ୍ୟବହାର କରିଛନ୍ତି, ସେମାନଙ୍କ ମଧ୍ୟରେ ସେହି ସମୟରେ କଗ୍ନିଟିଭ୍ ପ୍ରକ୍ରିୟା ସହ ଜଡ଼ିତ ମସ୍ତିଷ୍କର ନେଟ୍ୱର୍କ ଗତିବିଧି କମିଛି । ଏହା ଦ୍ୱାରା ମଣିଷର ଶିଖିବା କ୍ଷମତା ଏବଂ ନୂଆ କିଛି ରଚନା କରିବାର ଦକ୍ଷତା ହ୍ରାସ ପାଇବାର ଆଶଙ୍କା ବଢ଼ିଛି । ଏହି ଅଧ୍ୟୟନରେ ୫୪ ଜଣଙ୍କୁ ସାମିଲ କରାଯାଇଥିଲା । ଏମ୍ଆଇଟି ସମେତ ଆଉ କେତେକ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ସେମାନଙ୍କୁ ବଛାଯାଇଥିଲା । ସେମାନଙ୍କ ମସ୍ତିଷ୍କର ଗତିବିଧିକୁ ଇସିଜି ଜରିଆରେ ରେକର୍ଡ କରାଯାଇଥିଲା । ଏହି ପ୍ରକ୍ରିୟା ବେଳେ ସେମାନଙ୍କ ମୁଣ୍ଡର ଚର୍ମରେ ଇଲେକ୍ଟ୍ରୋଡ୍ ଲଗାଯାଇଥିଲା । ପ୍ରତିଯୋଗୀମାନେ ଏଆଇ ଦ୍ୱାରା ପ୍ରବନ୍ଧ ଲେଖିବା, ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରିବା, ତଥ୍ୟର ସ୍ରୋତ ଖୋଜିବା, ଭାଷା ଏବଂ ଶୈଳୀ ସୁଧାରିବା ଆଦି କାମ କରିଥିଲେ । ଏଆଇର ବ୍ୟବହାର ନୂଆ ନୂଆ ଚିନ୍ତାଧାର ସୃଷ୍ଟି କରିବା ଏବଂ ତାହାକୁ ବ୍ୟବସ୍ଥିତ କରିବା ଲାଗି ମଧ୍ୟ ବ୍ୟବହାର କରାଯାଇଥିଲା । କିନ୍ତୁ, କିଛି ବ୍ୟବହାରକାରୀଙ୍କ ଅନୁସାରେ ସୃଜନଶୀଳତା କିମ୍ବା ସୃଜନଶୀଳତା ମାମଲାରେ ଏଆଇ ସେତେ ମାତ୍ରାରେ ଦକ୍ଷ ହୋଇନାହିଁ ।
ଆଉ ଏକ ଅଧ୍ୟୟନରେ କାର୍ନେଗି ମେଲାନ୍ ୟୁନିଭର୍ସିଟି ଏବଂ ମାଇକ୍ରୋସଫ୍ଟ କୋ ପାଇଲଟ୍ ଅପରେଟର ଜାଣିବାକୁ ପାଇଛନ୍ତି ଯେ, ଯଦି ଲୋକେ ଏଆଇ ଉପରେ ଆବଶ୍ୟକତାଠାରୁ ଅଧିକ ନିର୍ଭର କରନ୍ତି ତେବେ ସେମାନଙ୍କ ସମସ୍ୟା ସମାଧାନ କରିବା ଦକ୍ଷତା ଦୁର୍ବଳ ହୋଇପାରେ । ରିସର୍ଚ୍ଚରମାନେ ୩୧୯ ହ୍ୱାଇଟ୍ କଲାର କର୍ମଚାରୀଙ୍କୁ ନେଇ ସର୍ଭେ କରିଥିଲେ, ଯେଉଁମାନେ କାମରେ ସପ୍ତାହେରୁ ବି କମ୍ ସମୟ ଭିତରେ ଅତି କମ୍ରେ ଥରେ ଏଆଇ ଟୁଲ୍ସର ବ୍ୟବହାର କରିଥାନ୍ତି । ଏଆଇ ବ୍ୟବହାର ବେଳେ ସେମାନେ ଗଭୀର ଭାବେ ଚିନ୍ତା କରିବାର ବେଶ୍ କମ୍ ଉପଯୋଗ କରିଥାନ୍ତି । ଅଧ୍ୟୟନରେ ଏଆଇକୁ ଦିଆଯାଇଥିବା ଅଲଗା ଅଲଗା ୯୦୦ କାମକୁ ମଧ୍ୟ ବିଶ୍ଳେଷଣ କରାଯାଇଥିଲା । ସେହିପରି ଛାତ୍ରଛାତ୍ରୀମାନେ ଆରମ୍ଭରୁ ହିଁ ଏଆଇ ଉପରେ ନିର୍ଭରଶୀଳ ହେବା ସେମାନଙ୍କ ବିଚାର ତଥା ଚିନ୍ତା କରିବା ଦକ୍ଷତା ବିକାଶରେ ବାଧା ସୃଷ୍ଟି କରିପାରେ । ଏଆଇ ବ୍ୟବହାର ଦ୍ୱାରା କମ୍ ସମୟରେ ଉନ୍ନତ ତଥା ସହଜ ସମାଧାନ ଏବଂ ଉତ୍ତର ବାହାରି ପାରୁଥିଲେ ହେଁ ଏହା ଶିଖିବା ଦକ୍ଷତାକୁ ଦୁର୍ବଳ କରିବାର ଆଶଙ୍କା ରହିଛି । ସବୁ କାମରେ ଏଆଇର ବ୍ୟବହାର ନ କରି ନିଜ ଚିନ୍ତାଶକ୍ତିର ମଧ୍ୟ ପ୍ରୟୋଗ କରନ୍ତୁ । ନଚେତ୍ ଆଗକୁ ଆପଣ ଏଆଇ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇପାରନ୍ତି । ଯାହା ଆପଣଙ୍କୁ ମହଙ୍ଗା ପଡ଼ିପାରେ । ବାସ୍ ଏତିକି, ଭବିଷ୍ୟତରେ ଏଆଇ ନିୟନ୍ତ୍ରଣରେ ମଣିଷ ନ ରହୁ ।
