
ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଅନିୟନ୍ତ୍ରିତ ବସ୍ ଓଲଟି ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଇଣ୍ଡୋନେସିଆର ମୁଖ୍ୟ ଜାଭା ଦ୍ୱୀପରେ ରବିବାର ବିଳମ୍ୱିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ଅଧିକାରୀଙ୍କ ଅନୁଯାୟୀ, ବସ୍ଟି ହଠାତ୍ ଏକ ଟୋଲ୍ ରାସ୍ତାରେ ନିୟନ୍ତ୍ରଣ ହରାଇବାରୁ ଏକ କଂକ୍ରିଟ୍ ବାରିୟରରେ ଧକ୍କା ଦେଇ ଓଲଟି ପଡ଼ିଥିଲା । କହିରଖୁଛୁ ଯେ, ଏହି ବସ୍ଟି ରାଜଧାନୀ ଜାକର୍ତାରୁ ଦେଶର ପ୍ରାଚୀନ ରାଜକୀୟ ନଗରୀ ଯୋଗ୍ୟାକାର୍ତାକୁ ଯାଉଥିବା ବେଳେ ଏହା ଓଲଟି ପଡ଼ିଥିଲା ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସି ମୁଖ୍ୟ ବୁଡିଓନୋ କହିଛନ୍ତି, ବସ୍ଟି ୩୪ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା । ଏକ ଟୋଲ୍ ରାସ୍ତାରେ ଅତିକ୍ରମ କରୁଥିବା ସମୟରେ, ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ କଂକ୍ରିଟ୍ ବାରିୟରରେ ପିଟି ହୋଇଗଲେ । ଧକ୍କା ଏତେ ଜୋର୍ରେ ଥିଲା ଯେ ବସ୍ଟି ରାସ୍ତା କଡ଼ରେ ଓଲଟି ପଡ଼ିଥିଲା । ଅଧିକାରୀଙ୍କ ଅନୁଯାୟୀ, ଦୁର୍ଘଟଣା ବେଳେ ବସ୍ରୁ ଅନେକ ଯାତ୍ରୀ ଛିଟିକି ପଡ଼ିଥିଲେ, ଓ କିଛି ବସ୍ ଭିତରେ ଫସି ରହିଥିଲେ । ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସତର୍କ କରାଯିବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ବୁଡିଓନୋ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଏକ ଚ୍ୟାଲେଞ୍ଜିଂ ଥିଲା । କାରଣ ବସ୍ଟି ବହୁତ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ବସ୍ ଝରକା ଭାଙ୍ଗି ଯାଇଥିବାରୁ ଭିତରେ ଫସି ରହିଥିବା ଲୋକଙ୍କ ପାଖରେ ପହଞ୍ଚିବା କଷ୍ଟକର ଥିଲା । ତଥାପି, ବହୁତ ଚେଷ୍ଟା ପରେ ଉଦ୍ଧାରକାରୀଦଳ ସମସ୍ତ ପୀଡ଼ିତଙ୍କୁ ବାହାର କରିବାରେ ସଫଳ ହୋଇଥିଲେ ଏବଂ ପରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଦ୍ରୁତ ଗତି ଏହି ଦୁର୍ଘଟଣା ପଛରେ କାରଣ ବୋଲି କୁହାଯାଉଛି । ତଦନ୍ତ ପରେ ଦୁର୍ଘଟଣାର ସଠିକ୍ କାରଣ ନିର୍ଣ୍ଣୟ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି ।
