
ଆସାମର ହୋଜାଇ ଜିଲ୍ଲାରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ସାଇରାଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏକ ହାତୀପଲକୁ ଧକ୍କା ଦେବା ଫଳରେ ୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ସଂଘର୍ଷ ଯୋଗୁଁ ଟ୍ରେନର ଇଞ୍ଜିନ ସମେତ ୫ଟି କୋଚ୍ ରେଳ ଧାରଣାରୁ ଚ୍ୟୁତ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟା ୧୭ ମିନିଟ ସମୟରେ ହାତୀପଲ ରେଳଲାଇନ ପାର ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି ବୋଲି ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି
ନାଗାଓଁ ଡିଭିଜନାଲ ଫରେଷ୍ଟ ଅଫିସର ସୁହାସ କଦମଙ୍କ ସୂଚନା ଅନୁଯାୟୀ, ଖବର ପାଇ ବନ ବିଭାଗର ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣା ଯୋଗୁଁ ସମ୍ପୃକ୍ତ ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରଭାବିତ ରେଳ ସେକ୍ସନ ଦେଇ ଯାଉଥିବା ଅନ୍ୟ ଟ୍ରେନଗୁଡ଼ିକୁ ବର୍ତ୍ତମାନ ‘ଅପ୍ ଲାଇନ’ ଦେଇ ପଠାଯାଉଛି। ରେଳବାଇ ଏବଂ ବନ ବିଭାଗ ମିଳିତ ଭାବେ ଧାରଣାରୁ ବଗି ହଟାଇବା ଏବଂ ରେଳ ଚଳାଚଳ ସ୍ଵାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି।
