
ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ହାଇୱା ଚାପାରେ ବାଇକ ଚାଳକ ମୃତ। ମୃତ ବାଇକ ଚାଳକ ଗୁଢ଼ୀଆଳି ଗ୍ରାମର ଭ୍ରମରବର ସ୍ୱାଇଁ ବୋଲି ଜଣାପଡିଛି।
ସୂଚନା ମୁତାବକ, ଏକ ହାଇୱା ରାଉରକେଲା ପଟୁ ରାଜମୁଣ୍ଡା ବାଇପାସ ଗୋଲେଇ ଛକରୁ କୋଇଡା ଆଡକୁ ଯାଉଥିଲା । ସେହି ସମୟରେ ଅପରପାର୍ଶ୍ୱରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ସହ ଚାଳକ ହାଇୱା ଚକ ତଳେ ପଡିଯାଇ ଘୋଶାଡି ନେବାରୁ ଗୁରୁତର ହୋଇଥିଲେ। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଲହୁଣୀପଡା ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।
