
ଲୋକପ୍ରିୟ ଗାୟକ ଜୁବନ୍ ଗର୍ଗ ମୃତ୍ୟୁ ଘଟଣାରେ ପୁଣି ଆଉ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଜୁବିନଙ୍କ ବ୍ୟାଣ୍ଡର ସଦସ୍ୟ ଏବଂ ସହ କଣ୍ଠଶିଳ୍ପୀ ଅମ୍ରିତପ୍ରଭା ମହନ୍ତଙ୍କୁ ଗିରଫ କରିଛି ଆସାମ ପୋଲିସ । ଏମାନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ପୂର୍ବରୁ ଜୁବିନଙ୍କ ମ୍ୟାନେଜର ଓ ୟାର୍ଟ ପାର୍ଟିର ଆୟୋଜକ ହୋଇଥିଲେ ଗିରଫ । ଆସାମ ପୋଲିସ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲର ମୁଖ୍ୟ ଆୟୋଜକ ଶ୍ୟାମକାନୁ ମହନ୍ତ ଏବଂ ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ପୋଲିସ ଗିରଫ କରାଯାଇଥିଲା ।ଏମାନଙ୍କୁ ବିଏନଏସ ଧାରାରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।
ଏ ପର୍ଯ୍ୟନ୍ତ ଜୁବୀନ ଗର୍ଗ ମୃତ୍ୟୁ ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ପଚରାଉଚରା କରାଯାଇଛି । ନିକଟରେ, ଜୁବୀନଙ୍କ ପତ୍ନୀ ଗରିମା ସାଇକିଆ ଗର୍ଗ ତାଙ୍କ ସ୍ୱାମୀଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମାଙ୍କ ବିଷୟରେ ସନ୍ଦେହ ପ୍ରକାଶ କରି ତଦନ୍ତ ପାଇଁ ଅଭିଯୋଗ କରିଥିଲେ ।
ସୂଚନା ଅନୁସାରେ ଜୁବିନ ଗର୍ଗଙ୍କ ପତ୍ନୀ ଗରିମା ସୈକିଆ ଗର୍ଗ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲେ । ଏହାସହ ଜୁବିନ ଗର୍ଗଙ୍କ ଶେଷ ସମୟରେ ଘଟିଥିବା ଘଟଣାଗୁଡ଼ିକର ସଠିକ୍ ତଦନ୍ତ ପାଇଁ ଦାବି କରିଥିଲେ । ଜାତୀୟ ଗଣମାଧ୍ୟମରେ ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ତାଙ୍କୁ କି ତାଙ୍କ ପରିବାରକୁ ସ୍ପଷ୍ଟ ଉତ୍ତର ଦିଆଯାଇ ନାହିଁ ।
ସେ କହିଛନ୍ତି, “ଜୁବିନ ଗର୍ଗଙ୍କ ସହ ପ୍ରକୃତରେ କ’ଣ ହେଲା, ଆମେ ଜାଣିନାହୁଁ । ତାଙ୍କ ମୃତ୍ୟୁ କିପରି ଘଟିଲା, ଏହା ଏପର୍ଯ୍ୟନ୍ତ ଏକ ରହସ୍ୟ । ଆମକୁ ଏହାର ଜବାବ ଦରକାର । ସେ ଅବହେଳାର ଶିକାର ହୋଇଛନ୍ତି, ଏହା ନିଶ୍ଚିତ, କିନ୍ତୁ ତାଙ୍କ ପରି ଜଣେ ବ୍ୟକ୍ତିଙ୍କୁ କାହିଁକି ଅବହେଳା କରାଗଲା ? ମୁଁ ତଦନ୍ତ ଉପରେ ବିଶ୍ୱାସ କରେ ।”
ଗରିମା କହିଛନ୍ତି ଯେ ସେ ଶେଷ ଥର ପାଇଁ ସେପ୍ଟେମ୍ବର ୧୮ରେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ । କିନ୍ତୁ ସେ ସିଙ୍ଗାପୁରରେ ହେବାକୁଥିବା କୌଣସି ୟାଟ ପାର୍ଟି ବିଷୟରେ କହିନଥିଲେ । ଆଉ ଜୁବିନ ପାଣିରେ ବୁଡ଼ି ମରିବା ପରେ ତାଙ୍କ ପତ୍ନୀଙ୍କ ସନ୍ଦେହ ହୋଇଥିବାରୁ ସେ ତଦନ୍ତ ଦାବି କରିଥିଲେ ।
