ରାଜଧାନୀ ଭୁବନେଶ୍ୱରର ଐତିହ୍ୟ ସ୍ଥଳୀ ଧଉଳି ଅଞ୍ଚଳରେ ଘଟିଛି ଏକ ଅତ୍ୟନ୍ତ ଜଘନ୍ୟ ଘଟଣା, ଯାହା ସମଗ୍ର ସହରର ନିରାପତ୍ତା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ମୁତାବକ, ଗତ ୧୦ ତାରିଖ ଦିନ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଧଉଳିରୁ ଫେରୁଥିବା ସମୟରେ ମୋଟ୍ ୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ପ୍ରଥମେ ଟଙ୍କା ମାଗିଥିଲେ ।
ପୁରୁଷ ବନ୍ଧୁ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉଭୟଙ୍କୁ ଏକ ଅନ୍ଧାରିଆ ନଦୀ ପଠାକୁ ଟାଣି ନେଇଥିଲେ । ସେଠାରେ ଦୁର୍ବୃତ୍ତମାନେ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ପଥରରେ ଛେଚି ରକ୍ତାକ୍ତ କରିଥିଲେ । ଏହାପରେ ସେମାନଙ୍କ ମଧ୍ୟରୁ ଦୁଇଜଣ ଅଭିଯୁକ୍ତ ନାବାଳିକାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ । କେବଳ ସେତିକି ନୁହେଁ, ଏହି ପିଶାଚମାନେ ଦୁଷ୍କର୍ମର ଭିଡିଓ ଏବଂ ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରି ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।
ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ତେବେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ଅଛି ଏବଂ ତାକୁ ଧରିବା ପାଇଁ ପୁଲିସ ଚଢ଼ାଉ ଜାରି ରଖିଛି ।
ରାଜଧାନୀ ଉପକଣ୍ଠରେ ଏଭଳି ଜଘନ୍ୟ କାଣ୍ଡ ଘଟିବା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଅପରାଧୀମାନଙ୍କ ମନରେ ପୁଲିସର ଭୟ ଆଉ ନାହିଁ । ଅପରାଧୀମାନେ ଭୟଶୂନ୍ୟ ହୋଇ ଏଭଳି କାର୍ଯ୍ୟ କରିବା ସହରର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିପଦରେ ପକାଇଛି ।
