Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଓ ପହିଲି ଭୋଗ ନୀତି, ବଡ଼ଦେଉଳରୁ ବାପ ଘର ଗଲେ ମହାଲକ୍ଷ୍ମୀ

Posted on December 16, 2025

ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଧନୁ ସଂକ୍ରାନ୍ତି। କାହିଁ କେଉଁ ଅନାଦି କାଳରୁ ଏହା ପାଳିତ ହୋଇ ଆସୁଛି। ସୂର୍ଯ୍ୟଙ୍କ ଧନୁ ରାଶି ଚଳନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ।  ଚଳିତ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ  ପ୍ରଖର ଶୀତର ସମୟ। ଏହି ସମୟରେ ମାସଯାକ ମହାପ୍ରଭୁଙ୍କ ନୀତିକାନ୍ତି ସୂର୍ଯ୍ୟେଦୟ ବହୁ ପୁର୍ବରୁ ହୋଇଥାଏ। ଯେଉଁ ସମୟରେ ଲୋକେ ଶଯ୍ୟାରୁ ଉଠିବାକୁ ଇଛା ହେଉନଥାଏ ସେହି ସମୟରେ ମହାପ୍ରଭୁଙ୍କ ସ୍ନାହାନ ଅବକାଶ ଆଦି ନୀତି ଅନୁଷ୍ଠିତ ହୋଇ ବାଳ ଭୋଗ ଲାଗି ହୋଇ ସାରିଥାଏ। ଏହି ପହିଲି ଭୋଗ ନୀତି ଆମକୁ ଶିଖାଇ ଥାଏ ଶୀତଦିନରେ ଅଳସ ନ ହୋଇ କର୍ମଠ ହେବାକୁ। କର୍ମ ପରାୟଣ ହୋଇ ଏହି ମାସରେ ଶସ୍ୟ ଅମଳ କାର୍ଯ୍ୟରେ ଲାଗିବାକୁ ଏହି ନୀତିକାନ୍ତି ଆମକୁ ଶିଖେଇ ଥାଏ। ଗୋଟିଏ ମାସର ଶସ୍ୟ ଅମଳ ବର୍ଷକ ପର୍ଯ୍ୟନ୍ତ ଆହାର ଯୋଗାଇଥାଏ।

ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି, ଉତ୍ସବ ଇତ୍ୟାଦି ବର୍ଷର ବିଭିନ୍ନ ସମୟରେ ପାଳିତ ହେବା ସଙ୍ଗେ ସଙ୍ଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ । ପୌରାଣିକ ମତ ଅନୁଯାୟୀ, ଭାରତର ଚାରିଧାମ ମଧ୍ୟରୁ ‘ଶ୍ରୀକ୍ଷେତ୍ର’ପରଂବ୍ରହ୍ମଙ୍କର ଭୋଜନ ଧାମ ଭାବରେ ସୁବିଦିତ । ଏହି କ୍ଷେତ୍ରରେ ଭୋଗର ପ୍ରାଧାନ୍ୟ ରହିଛି । ବିଭିନ୍ନ ଯାନିଯାତ୍ରାରେ ସ୍ୱତନ୍ତ୍ର ଭୋଗର ବ୍ୟବସ୍ଥା ମଧ୍ୟ ରହିଛି । ସେଥିପାଇଁ ଯଥାର୍ଥରେ କୁହାଯାଇଛି। 
                                       

ଶ୍ରୀ ଜଗନ୍ନାଥଙ୍କ ସେବାରେ ଶୃଙ୍ଗାର, ବୀର, ବାତ୍ସଲ୍ୟାଦି ସମସ୍ତ ରସର ସେବାଭାବ ରହିଥାଏ । ତନ୍ମଧ୍ୟରୁ, ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟରସ ଉପାସନାର ସମୟ । ଧନୁ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥାଏ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି। ସକାଳୁ ସକାଳୁ କୁଆ କା’ କହିବା ପୂର୍ବରୁ, ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ ପହିଲି ଭୋଗ ।

ରାମ କୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଇଥାନ୍ତି ମାଆ ଯଶୋଦା । ସେଥିପାଇଁ, ଶ୍ରୀମନ୍ଦିର ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ହୋଇଥାଏ । ମାସେ ଯାଏଁ ଶ୍ରୀଜୀଉଙ୍କୁ ଅର୍ପଣ ହୋଇଥାଏ ପହିଲି ଭୋଗ । ମାଆଙ୍କ ହାତରନ୍ଧା ଖାଦ୍ୟ ଖାଇଥାନ୍ତି ମହାପ୍ରଭୁ । କଥିତ ଅଛି ଯେ, ଏହି ମାସରେ ମହାଲକ୍ଷ୍ମୀ ବାପଘର ଯାତ୍ରା କରିଥାନ୍ତି । ଏଣୁ ବାତ୍ସଲ୍ୟ ମମତାମୟୀ ମା’ ଯଶୋଦା ଶ୍ରୀଜଗନ୍ନାଥଙ୍କୁ ପ୍ରଭାତରୁ ଶୀଘ୍ର ରୋଷଇ କରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହିତ ଅନ୍ନ ଶୀତ ସମୟରେ ଗରମ ଗରମ ଖାଇବାକୁ ଦେଇଥାନ୍ତି । ଏଣୁ, ଏହି ଭୋଗ ମା’ଯଶୋଦାଙ୍କ ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ଓ ନୈସର୍ଗିକ ପ୍ରେମର ନିଦର୍ଶନ । ସେଥିପାଇଁ ଏହି ପହିଲି ଭୋଗର ବ୍ୟବସ୍ଥା ଚଳିଆସିଛି ।

ପୌରାଣିକ ଆଖ୍ୟାନ ଅନୁଯାୟୀ, ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ସ୍ମୁର୍ତ୍ତିରେ ବ୍ୟାକୁଳିତ ହୋଇ ବାଳ ଗୋପାଳ ରୂପ ଧାରଣ କରିଥିବା ବେଳେ ନାରଦ ସେଠାରେ ଉପସ୍ଥିତ ହୋଇ ତାହାର ରହସ୍ୟ ଜିଜ୍ଞାସା କରିଥିଲେ । ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରେରିତ ହୋଇ ନାରଦ ଗୋପପୁରରେ ଉପସ୍ଥିତ ହେଲେ । କୃଷ୍ଣ ବଳରାମ ଦୁଇ ଭାଇଙ୍କୁ ଯଶୋଦାଙ୍କ କୋଳରେ ବସି ନାନା ସୁମିଷ୍ଟ ଦ୍ରବ୍ୟ ଆନନ୍ଦରେ ଭୋଜନ କରୁଥିବାର ଦେଖିଲେ । ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଏହାର ସ୍ମାରକି । ସ୍କନ୍ଦପୁରାଣରେ ବା ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣିର ବର୍ଣ୍ଣନା କରାଯାଇଥିବା ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ମଧ୍ୟ ପହିଲି ଭୋଗର କୌଣସି ବିବରଣୀ ନାହିଁ । ଏଥିରୁ, ଅନୁମତି ହୁଏ ଯେ ପହିଲି ଭୋଗର ପ୍ରଚଳନ ଅର୍ବାଚୀନ କାଳରେ ହୋଇଛି । ଏହା ଖ୍ରୀଷ୍ଟୀୟ ୧୬ଶ ଶତାଦ୍ଦୀରେ ପ୍ରଚଳିତ ଥିବାର ଜଣାପଡେ । ଏହାପରେ ସକାଳ ଧୂପ ହୋଇ ସାହାଣମେଲା ଦର୍ଶନ ହୁଏ । ମଧ୍ୟରାତ୍ର ସୁଦ୍ଧା ପହୁଡ ହୁଏ । ପରମ୍ପରାଅନୁସାରେ, ଧନୁ ସଂକ୍ରାନ୍ତିରେ ବଡଓଡିଆ ମଠରୁ ଠାକୁରଙ୍କ ଭୋଗପାଇଁ ମୁଆଁ ଆସିଥାଏ ।

ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳ ର ଗୋପଳବଲ୍ଲଭ ଭୋଗ ନୀତି ସହିତ ‘ପହିଲିଭୋଗ’ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନମାନଙ୍କରେ ରାତ୍ର ଦୁଇ ଘଡି ଥାଇ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତି, ଅବକାଶ ହୁଏ । ତାହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । ତତ୍ପରେ, ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ଗୋପଳବଲ୍ଲଭ ଭୋଗ ବଢାଯାଇଥାଏ । ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲି ଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ । ଏହି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି- ‘ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବା ପାଇଁ ଏହି ଦିନମାନଙ୍କରେ ମଂଗଳ ଆଳତି ପରେ ହିଁ ରୋଷ ହୋମ ଅନୁଷ୍ଠିତ ହୋଇଥାଏ । ଲୋକବିଶ୍ୱାସରେ ମା’ ଲଷ୍ମୀ ଏହି ମାସଟି ନିଜର ବାପଘରେ କାଟନ୍ତି । ପୌଷ ମାସରେ ବୋହୂ ନିଜର ବାପ ଘରକୁ ଯିବାର ଚଳଣୀ ଓଡ଼ିଆ ଘର ମାନଙ୍କରେ ରହିଛି । ତେଣୁ ମା’ବ୍ୟଗ୍ର ହୋଇ ନିଜ ପୁଅଝିଅଙ୍କୁ ଶୀତରେ ସକାଳଟାରୁ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି । ଏହି ପହିଲି ଭୋଗ ବଢା ଭାତର ସ୍ମୃତିକୁ ମନେ ପକାଇଦିଏ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme