
ମହମ୍ମଦ ମୋକିମଙ୍କୁ ଦଳରୁ ବହିଷ୍କାର ପରେ କଂଗ୍ରେସରେ ବୟାନ ବାଜି ଆରମ୍ଭ ହୋଇଯାଇଛି । ଗୋଟିଏ ପକ୍ଷ ତାଙ୍କ ସପକ୍ଷରେ କହୁଥିବା ବେଳେ ଅନ୍ୟ ଏକ ପକ୍ଷ ମୋକିମଙ୍କୁ ବିରୋଧ କରିଛନ୍ତି । ରାଜ୍ୟ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ସାମ୍ବାଦିକ ସମ୍ମିଳନୀ କରି କଟକ-ବାରବାଟୀର ଏହି ବରିଷ୍ଠ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି । ଅରବିନ୍ଦ କହିଛନ୍ତି, ମୋକିମଙ୍କ ବିବାଦ ଝିଅର ଭବିଷ୍ୟତକୁ ନଷ୍ଟ କରୁଛି । ମହମ୍ମଦ ମୋକିମଙ୍କ ଚିଠି ବିଜେପି ସୃଷ୍ଟ ବ୍ୟାଖ୍ୟାନ ସଦୃଶ । ପିସିସି ସଭାପତି ଭକ୍ତ ଚରଣ ଦାସ ବିଭୀଷଣ ପ୍ରସଂଗରେ ତାଙ୍କୁ କେବେ ବି ଆକ୍ଷେପ କରିନଥିଲେ । ମାତ୍ର ମହମ୍ମଦ ମୋକିମ୍ ସଙ୍ଗେ ସଙ୍ଗେ ଶୃଙ୍ଖଳା କମିଟିକୁ ଚିଠି ଲେଖି ଗଣମାଧ୍ୟମକୁ ଦେଇ ଦେଲେ ।
ଭୋଟ୍ ଚୋରି ପ୍ରସଂଗରେ ସାରା ଦେଶରେ କଂଗ୍ରେସ, ରାହୁଲ ଗାନ୍ଧୀ ଓ AICC ଅଧ୍ୟକ୍ଷ ମଲ୍ଲିକର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଦିଲ୍ଲୀ ରାମଲୀଲା ମୈଦାନରେ ସମାବେଶ କରୁଛି । ହେଲେ ଏହି ସମାବେଶର 6 ଦିନ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ସେ ଆଉ ଏକ ଚିଠି ଲେଖିଲେ । ଏହାର 48 ଘଣ୍ଟା ଭିତରେ ଗଣମାଧ୍ୟମକୁ ଚିଠି ଦେଇ ଦେଲେ । ଏହା ଦଳକୁ ଗଢିବା ପାଇଁ ନା ବିଗାଡିବା ପାଇଁ ତାଙ୍କ ଅଭିପ୍ରାୟରୁ ସ୍ପଷ୍ଟ ଭାବେ ଜଣାପଡୁଛି । ଚାଷୀ ଆନ୍ଦୋଳନ, ଶିକ୍ଷକ ଆନ୍ଦୋଳନ ସମୟରେ ମୋକିମଙ୍କ ଚିଠି ଗଣମାଧ୍ୟମରେ ମୁଖ୍ୟ ପ୍ରସଙ୍ଗ ପାଲଟିଲା । ରାହୁଲଙ୍କୁ ମୋକିମ ଚିଠିରେ ଅଯୋଗ୍ୟ ବୋଲି କହିଛନ୍ତି । ଯେତେବେଳେ କଂଗ୍ରେସ ଦଳ ଉପରକୁ ଉଠୁଛି ସେତେବେଳେ ମୋକିମ୍ ବିଜେପି ବ୍ୟାଖ୍ୟାନ କରୁଛନ୍ତି । କଂଗ୍ରେସ ପାର୍ଟି ମୋକିମକୁ ବିଧାୟକ କରିଛି ଏବଂ ତାଙ୍କ ଝିଅ ମଧ୍ୟ ଏବେ ବିଧାୟକ ଅଛନ୍ତି । ହେଲେ କଂଗ୍ରେସ ଲିଡରସିପ୍ କୁ ସମାଲୋଚନା କରିବା କେତେ ଦୂର ଠିକ୍ ତାହାର ଜବାବ ମୋକିମ ଦେବେ କି ।
ଦଳରେ ରହି ଶୀର୍ଷ ନେତୃତ୍ୱଙ୍କୁ ଏଭଳି ଟାହି ଟାପରା କରିବା ବହିଷ୍କାର ନିଷ୍ପତିକୁ ଡାକିବା ଭଳି । ଭକ୍ତ ଦାସ ଥିବା ପର୍ଯ୍ୟନ୍ତ ପିସିସି ସଭାପତି ହେବା ସମ୍ଭବ ନୁହେଁ ବୋଲି ମୋକିମ୍ ବୋଧେ ଜାଣି ସାରିଥିଲେ । ତେଣୁ ଏଭଳି ଶୀର୍ଷ ନେତୃତ୍ବକୁ ଟାର୍ଗେଟ୍ କରୁଛନ୍ତି ବୋଲି ଅରବିନ୍ଦ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
