
ପ୍ରବଳ ଥରାଇଲାଣି ଥଣ୍ଡା । ଏମିତି ଲମ୍ବା ସମୟ ଶୀତ ପ୍ରକୋପ କେତେ ବର୍ଷ ହେଲା ଅନୁଭୂତ ହୋଇନଥିଲା । ଡିସେମ୍ବର ମାସରେ ଏଯାବତ୍ ଲଗାତାର ୮ ଦିନ ଶୀତ ଲହରି ଅନୁଭୂତ ହେଲାଣି । ନଭେମ୍ବରରେ ବି ୩ ଦିନ ଥରାଇଥିଲା ଶୀତ । ପାଣିପାଗ ପୂର୍ବାନୁମାନ ଯାହା, ଏବେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଥଣ୍ଡା ପ୍ରକୋପ ଜାରି ରହିବ ।
ପାଣିପାଗ କେନ୍ଦ୍ରର ତଥ୍ୟ କହୁଛି, ଶୁକ୍ରବାର ରାତିରେ ୧୬ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍ ଥିଲା । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ, ସେମିଳିଗୁଡ଼ା ୪.୬, ଫୁଲବାଣୀ ୫.୫, ଦାରିଙ୍ଗବାଡ଼ି ୬, କୋରାପୁଟ ୬.୫, ଚିପିଲିମା ୭.୮, ନବରଙ୍ଗପୁର ଓ ରାଉରକେଲା ୮, ଝାରସୁଗୁଡ଼ା ୮.୨, ଭବାନୀପାଟଣା ୮.୫, ଅନୁଗୁଳ ୯, କିରେଇ ୯.୨, ଢେଙ୍କାନାଳ, ରାୟଗଡ଼ା, ବୌଦ୍ଧ ଓ ସୁନ୍ଦରଗଡ଼ ୧୦ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି କେନ୍ଦୁଝରେ ୧୦.୨, ସମ୍ବଲପୁର ୧୧.୪, ହୀରାକୁଦ ୧୨.୨, ଭୁବନେଶ୍ୱର ୧୨.୬, ବାଲେଶ୍ୱର ୧୪.୨, ଗୋପାଳପୁର ୧୪.୩, ଚାନ୍ଦବାଲି ୧୪.୫, ପାରାଦୀପ ୧୪.୯ ଡିଗ୍ରୀ ଥିଲା । ରବିବାରଠାରୁ ଶୀତ ଲହରି ପ୍ରକୋପ ରହିବନି । ମାତ୍ର ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।
ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ, ଚଳିତ ବର୍ଷ ଶୀତର ଧାରା ପୂର୍ବ ବର୍ଷମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏଥର ଉତ୍ତର-ପଶ୍ଚିମ ଭାରତ ଅପେକ୍ଷା ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନା, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ଅଧିକ ରହିଛି ଶୀତ ଲହରି । ଗତ ବର୍ଷମାନଙ୍କର ରେକର୍ଡ ଅନୁଧ୍ୟାନ କଲେ ଜଣାପଡ଼ୁଛି, ଓଡ଼ିଶାରେ ଗୋଟିଏ ଶୀତ ଋତୁରେ ଅତି ବେଶିରେ ୬/୭ ଦିନ ହିଁ ଶୀତ ଲହରି ଅନୁଭୂତ ହୋଇଥାଏ । ମାତ୍ର ଏଥର ଓଡ଼ିଶାରେ ଏଯାବତ୍ ୧୧ଦିନ ଶୀତ ପ୍ରକୋପରେ ଥରିଲେଣି ରାଜ୍ୟବାସୀ ।
ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏ ବର୍ଷ ଶୀତ ଧାରା ପୂର୍ବ ବର୍ଷମାନଙ୍କଠାରୁ ଭିନ୍ନ ରହିଛି । ଏହା ଉପରେ ଅଧିକ ଅନୁଧ୍ୟାନ ଓ ଗବେଷଣାର ଆବଶ୍ୟକତା ରହିଛି । ଆସନ୍ତା ଦୁଇଦିନ ଶୀତ ପ୍ରକୋପ ସାମାନ୍ୟ କମିପାରେ । ୧୬ରୁ ୧୮ ଯାଏ ପୁଣି ଶୀତ ବଢ଼ିବ । ୧୯/୨୦ ତାରିଖ ବେଳକୁ ଶୀତ ସାମାନ୍ୟ କମିପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।
