
ଭାରତରେ ଲଞ୍ଚ୍ ହୋଇଛି ‘ଓଜେମ୍ପିକ୍’ ଇଞ୍ଜେକ୍ସନ୍ । ଡେନ୍ମାର୍କର ଫାର୍ମା କମ୍ପାନି ନୋଭୋ ନୋର୍ଡିସ୍କ ଶୁକ୍ରବାର ଏହା ଘୋଷଣା କରିଛି । ମଧୁମେହ ଓ ଓଜନ ହ୍ରାସ ଲାଗି ପ୍ରସ୍ତୁତ ଏହି ଇଞ୍ଜେକ୍ସନ୍ ଭାରତରେ ୦.୨୫ ଏମ୍ଜି, ୦.୫ ଏମ୍ଜି ଓ ୧ ଏମ୍ଜିରେ ଉପଲବ୍ଧ ହେଉଛି । ‘ଫ୍ଲେକ୍ସଟଚ୍ ପେନ୍’ରେ ଉପଲବ୍ଧ ଏହି ଔଷଧର ଉପଯୋଗ ସହଜ ।
ଏହି ପେନ୍ ଡିଭାଇସ୍କୁ ସପ୍ତାହରେ ଥରେ ଇଞ୍ଜେକ୍ସନ୍ ଭାବେ ନେବାକୁ ପଡ଼ିବ, ଯାହାର ସାପ୍ତାହିକ ମୂଲ୍ୟ ୨,୨୦୦ ଟଙ୍କାରୁ ଆରମ୍ଭ ହେଉଛି । ପ୍ରତ୍ୟେକ ପେନ୍ରେ ୪ ସପ୍ତାହିକ ଡୋଜ୍ ରହିଥିବା କମ୍ପାନି କହିଛି । ଓଜେମ୍ପିକ୍ ଇଞ୍ଜେକ୍ସନ୍କୁ ୪ ସପ୍ତାହ ପାଇଁ ୦.୨୫ ଏମ୍ଜି ଡୋଜ୍ ସହିତ ଆରମ୍ଭ କରିବାକୁ ପଡ଼ିବ, ଯାହାର ମୋଟ୍ ମୂଲ୍ୟ ୮,୮୦୦ ଟଙ୍କା । ଡାକ୍ତରଙ୍କ ପରାମର୍ଶରେ ରୋଗୀ ପରବର୍ତ୍ତୀ ୦.୫ ଏମ୍ଜି ଡୋଜ୍ ଅତିକମ୍ରେ ୪ ସପ୍ତାହ ନେବେ, ଯାହାର ମୂଲ୍ୟ ୧୦,୧୭୦ । ଅଥବା ମାସିକ ୧୧,୧୭୫ ଟଙ୍କାରେ ସପ୍ତାହକୁ ୧ ଏମ୍ଜି ଇଞ୍ଜେକ୍ସନ୍ ନେବେ । ଓଜନ-ହ୍ରାସ ଔଷଧ ୱେଗୋଭି ପରେ ଭାରତରେ ଲଞ୍ଚ୍ ହୋଇଥିବା ଏହା କମ୍ପାନିର ୨ୟ ଔଷଧ । ଗତ ଜୁନ୍ରେ ୱେଗୋଭି ଭାରତରେ ଲଞ୍ଚ୍ ହୋଇଥିଲା । ନୋଭୋ ନର୍ଡିସ୍କ ଓଜେମ୍ପିକ୍କୁ ଓଜନ ହ୍ରାସ ସୁଫଳ ସହିତ ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ଲଞ୍ଚ୍ କରିଛି । ଗତ ମାର୍ଚ୍ଚରେ ଲଞ୍ଚ୍ ହୋଇଥିବା ଏଲି ଲିଲିର ମନଜାରୋ ସହିତ ଏହା ପ୍ରତିଯୋଗିତା କରୁଛି । ନୋଭୋ ନର୍ଡିସ୍କ ଭାରତର ପ୍ରବନ୍ଧନ ନିର୍ଦ୍ଦେଶକ ବିକ୍ରାନ୍ତ ଶୋତ୍ରିୟ କହିଛନ୍ତି, ଓଜେମ୍ପିକ୍ ଜରିଆରେ କମ୍ପାନି ରୋଗୀଙ୍କ ଟାଇପ୍-୨ ମଧୁମେହର ଚିକିତ୍ସା ସହିତ ଓଜନ ନିୟନ୍ତ୍ରଣ ଓ ଲମ୍ବା ସମୟ ପର୍ଯ୍ୟନ୍ତ ହୃତ୍ପିଣ୍ଡ ଓ କିଡ୍ନୀକୁ ସୁରକ୍ଷା ଦେବା ଉପରେ ଫୋକସ୍ କରୁଛି ।
