
ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା । ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ ହୋଇଛି । ଆଜିଠୁ ନୂଆ ନିୟମ ଲାଗୁ ହୋଇଛି । ଫେସବୁକ୍, ଇନ୍ଷ୍ଟାଗ୍ରାମ୍, ୟୁଟ୍ୟୁବ୍ରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡ଼ିବ ନଚେତ୍ କମ୍ପାନୀକୁ ୩୩ ମିଲିୟନ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ହୋଇଛି ଯିଏକି ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନେଇ ନୂଆ ନିୟମ ଆଣିଛି । ଏହି ନୂଆ ଆଇନ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ । ଏହାକୁ ‘ପ୍ରାଇଡ୍ ଡେ’ କହିବା ସହ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଇଣ୍ଟରନେଟ୍ ମିଡିଆ ଉପରେ ପ୍ରତିବନ୍ଧକ ପିଲାମାନଙ୍କୁ ସେମାନଙ୍କର ଶୈଶବ ସୁନିଶ୍ଚିତ କରିବ । ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ଏହି ବଡ଼ ପଦକ୍ଷେପ ନିଆଯାଇଛି ।
ମଙ୍ଗଳବାର ବିଳମ୍ବିତ ରାତିରେ ପିଲାମାନଙ୍କୁ ଟିକଟକ୍ , ଆଲଫାବେଟ୍ ଇନକର୍ପୋରେଟେଡ୍ର ୟୁଟ୍ୟୁବ୍, ମେଟାର ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ସମେତ ଅନେକ ପ୍ଲାଟଫର୍ମ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଛି । ନୂଆ ଆଇନ୍ ଅନୁଯାୟୀ, ୧୦ଟି ବୃହତ୍ତମ ପ୍ଲାଟଫର୍ମ ଉପରେ ପିଲାମାନଙ୍କ ପାଇଁ କଟକଣା ଲାଗିଛି । ନିର୍ଦ୍ଦେଶ ଦିଆଯାଇଛି ଯେ ନିୟମ ନମାନିଲେ କମ୍ପାନୀକୁ ୩୩ ମିଲିୟ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ବାକ୍ ସ୍ୱାଧୀନତା ପ୍ରବକ୍ତାମାନେ ଏହି ଆଇନକୁ ସମାଲୋଚନା କରିଛନ୍ତି, କିନ୍ତୁ ପିତାମାତା ଏବଂ ଶିଶୁ ଅଧିକାର ପ୍ରବକ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି । ଅନଲାଇନରେ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ୟ ଅନେକ ଦେଶ ଗମ୍ଭୀରତାର ସହିତ ସମାନ ପଦକ୍ଷେପ ବିଷୟରେ ବିଚାର କରୁଛନ୍ତି ।
କେହି କେହି ଆଇନର ପ୍ରଶଂସା କରୁଥିବା ବେଳେ ସିଡନୀର ୧୫ ବର୍ଷୀୟ ନାୟା ଜୋନ୍ସ ଏବଂ ମାଇସି ନେଲାଣ୍ଡ ଏହି ଆଇନକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସେମାନେ ଯୁକ୍ତି ବାଢିଛନ୍ତି କି, ଏହି ନିୟମ ଦେଶର ପ୍ରାୟ ୨.୬ ନିୟୁତ କିଶୋରଙ୍କ ମତାମତ ସ୍ୱାଧୀନତାକୁ ସୀମିତ କରୁଛି । ତଥାପି, ସରକାର ଦାବି କରୁଛନ୍ତି ଯେ, ଅଧିକାଂଶ ପିତାମାତା ଇଣ୍ଟରନେଟ୍ ଗଣମାଧ୍ୟମର କ୍ଷତିକାରକ ପ୍ରଭାବରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପକୁ ସମର୍ଥନ କରିଛନ୍ତି ।
