
କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ର ପ୍ରାୟ ସମସ୍ତ ପଞ୍ଚାୟତରେ ନଭେମ୍ବର ୧୦ରୁ ୧୫ ତାରିଖ ଭିତରେ ଧାନ ଅମଳ କରି ସାରିଛନ୍ତି ଚାଷୀ । ହେଲେ ଚାଷୀଙ୍କୁ ଏବେ ଚିନ୍ତା ଅମଳ ଧାନ ବିକ୍ରି । ଧାନକୁ ସାଇତି ରଖିବାରେ ଚାଷୀ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଧାନ ଅମଳ ସ୍ଥାନରୁ ଘରକୁ ଆଣିବା ନେବା ଏବଂ ପୁଣି ଘରୁ ବାହାରକୁ ବାହାର କରିବା ଦ୍ୱାରା ଚାଷୀ ପରିବହନ ଏବଂ ଶ୍ରମିକ ବାବଦରେ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି ।
ବହୁ ଚାଷୀଙ୍କର ଧାନ ରଖିବା ପାଇଁ ଘର ନାହିଁ । ଧାନ ସବୁ ଖଳା, ଗଛମୂଳ ଦାଣ୍ଡ ବାରଣ୍ଡାରେ ପଡ଼ି ରହିବା ଯୋଗୁଁ ଗାଈ ଗାରୁ ଛେଳି କୁକୁଡ଼ା ଚଢ଼େଇ, ମୂଷା ଖାଇଯାଉଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଜଙ୍ଗଲ ନିକଟବର୍ତ୍ତୀ ଲୋକଙ୍କ ପାଇଁ ହାତୀ ପ୍ରତି ସମ୍ପୂର୍ଣ୍ଣ ବିପଦ ରହୁଛି । ଅମଳ ଧାନ ବାହାରେ ରହୁଛି ବର୍ଷା ଆସିଲେ ଧାନ ଭିଜି ଗଜା ଫିଟିବାର ସୁନିଶ୍ଚିତ । ଚାଷୀ ଧାର କରଜ କରି ଚାଷ କରିଛନ୍ତି । ସରକାର ଧାନ କିଣିବା ବିଳମ୍ବ କରୁଥିବାରୁ ଚାଷୀ ଋଣ ସୁଝିବା ପାଇଁ ବାଧ୍ୟ ହୋଇ ଧାନକୁ ଶାଗ ମାଛ ଦରରେ ବେପାରୀଙ୍କୁ ବିକ୍ରି କରୁଥିବା ଦେଖୁବାକୁ ମିଳିଛି ।
