
ପାର୍ବଣ ଭିଜାଇବାକୁ ଆସି ପହଞ୍ଚିଲାଣି ଆଉ ଗୋଟିଏ ଲଘୁଚାପ । ଏହା ଅବପାତ ହୋଇ ପ୍ରବଳ ବର୍ଷା କରିପାରେ ଦଶହରାରେ । ବେଶି ବର୍ଷିବ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି । ଘନୀଭୂତ ହୋଇ ଅକ୍ଟୋବର ୨ ସକାଳ ସୁଦ୍ଧା ଅବପାତ ରୂପ ନେବ । ୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଉପକୂଳ-ଉତ୍ତର ଆନ୍ଧ୍ର ଉପକୂଳରେ ପ୍ରବେଶ କରିବ । ଏହା ପ୍ରଭାବରେ ଆସନ୍ତାକାଲି ଠାରୁ ୪ ତାରିଖ ଯାଏଁ ବର୍ଷା ସମ୍ଭାବନା ଅଛି । କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨ ତାରିଖରାତି କିମ୍ବା ୩ ତାରିଖ ସକାଳ ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ଅବପାତ । ସମ୍ଭବତଃ ପାରାଦୀପରୁ ଗୋପାଳପୁର ଭିତରେ କିମ୍ବା ସାମାନ୍ୟ ଦକ୍ଷିଣରେ ଏହା ସ୍ଥଳଭାଗ ଅତିକ୍ରମ କରିପାରେ । ଏହା ଦକ୍ଷିଣ ଆଡ଼କୁ ଢଳି ଥିବାରୁ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଏବଂ ଛତିଶଗଡ଼ରେ ଅଧିକ ବର୍ଷା ହେବ ।
ଆକଳନ କରାଯାଉଛି, ବୁଧବାର ରାଜ୍ୟରେ ମୁଖ୍ୟତଃ ଶୁଖିଲା ବା ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଗୁରୁବାର ଦିନ ସକାଳବେଳା ସମସ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ କେନ୍ଦ୍ରୀୟ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଉପରବେଳା ବର୍ଷା ବଢ଼ିବ । ପ୍ରାୟ ସାରା ଓଡ଼ିଶାରେ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ଆଭ୍ୟନ୍ତରୀଣ କଟକ, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳରେ ସ୍ଥାନେ ସ୍ଥାନେ ମଧ୍ୟମରୁ ଭାରି ବର୍ଷା ଅଛି । ସୁନ୍ଦରଗଡ଼ ଓ ସଂଲଗ୍ନ ଅଞ୍ଚଳରେ ପାଗ ଶୁଖିଲା ରହିବ ପାଣିପାଗ ବିଭାଗର ଆକଳନ ହେଲା, ୧ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ, ଉତ୍ତର ଆଭ୍ୟନ୍ତରୀଣର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି ।
ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ଉପକୂଳ ସମେତ ଅନେକ ଜିଲ୍ଲାରେ ଘଡ଼ଘଡ଼ି ପବନ ହୋଇପାରେ । ୨ ତାରିଖ (ଦଶହରା) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳରେ ପ୍ରବଳରୁ ପ୍ରବଳତର ବର୍ଷା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଏହାବାଦ୍ ବହୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ୩ ତାରିଖରେ (ଭସାଣି) ଅନେକ ସ୍ଥାନରେ ବର୍ଷା ଏବଂ ବହୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳର ଅଳ୍ପ କିଛି ଜାଗାରେ ବର୍ଷା ସମ୍ଭାବନା ଅଛି । ୫ରୁ ବର୍ଷା ପରିମାଣ କମିବ ।
