
ସମୁଦ୍ର ପତ୍ତନଠୁ ୧୦୦୦ ଫୁଟ ଉପରେ ଚାଲିବାର ଅନୁଭବ ପାଇବେ ଭାରତୀୟ । ବିଶାଖାପଟ୍ଟନମ୍ରେ ନିର୍ମିତ ହୋଇଛି ଭାରତର ଦୀର୍ଘତମ କାଚ ପୋଲ । ମନୋରମ ପ୍ରାକୃତିକ ପରିବେଶ ଓ ଅଭିନବ ଡିଜାଇନ୍ ଏହାର ଆକର୍ଷଣକୁ ବହୁଗୁଣିତ କରିଛି । ବିଶାଖାପଟ୍ଟନମ୍ ସାଂସଦ ଶ୍ରୀ ଭାରତଙ୍କ ଦ୍ୱାରା ଭାରତର ଦୀର୍ଘତମ କାଣ୍ଟିଲିଭର ଗ୍ଲାସ୍ ସ୍କାଇୱାକ୍ ଭାବେ ପରିଚିତ ଏହି ଚମତ୍କାର ପୋଲ ଔପଚାରିକ ରୂପେ ସାଧାରଣ ଜନତାଙ୍କ ପାଇଁ ଉନ୍ମୋଚିତ ହୋଇଛି । କୈଳାସଗିରି ପାହାଡ଼ ଶୀର୍ଷରେ ସୁନ୍ଦର ପ୍ରାକୃତିକ ଦୃଶ୍ୟରାଜି ମଧ୍ୟରେ ଦଣ୍ଡାୟମାନ ଏହି ପୋଲ ଚମତ୍କାର ଇଞ୍ଜିନିୟରିଂ ଜ୍ଞାନକୌଶଳର ସୁନ୍ଦର ନମୁନା । ଏହା ଆଗନ୍ତୁକଙ୍କ ମନକୁ ଛୁଇଁଲା ଭଳି ଅନୁଭବ ପ୍ରଦାନ କରେ, ଯାହା ସହରକୁ ଜାତୀୟ ରୋମାଞ୍ଚକର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇଛି ।
୭ କୋଟି ନିବେଶରେ ନିର୍ମିତ ଏହି ପୋଲ ପର୍ଯ୍ୟଟକଙ୍କ ପାଇଁ ଡିସେମ୍ବର ଛୁଟିଦିନକୁ ଆହୁରି ଉତ୍ସାହଜନକ ଓ ରୋମାଞ୍ଚକର କରିବ । ୫୦ ମିଟର ଲମ୍ବ ଏହି ପୋଲ ଭାରତର ଦୀର୍ଘତମ କାଣ୍ଟିଲିଭର ଗ୍ଲାସ୍ ସ୍କାଇୱାକ୍ । ଅର୍ଥାତ୍ ପୋଲ ପ୍ଲାଟ୍ଫର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ତଳୁ କୌଣସି ସମର୍ଥନ ବିନା ପାହାଡ଼ ମୁହଁରୁ ବାହାରି ରହିଛି, ଯାହା ପବନରେ ଭାସିବା ଭଳି ରୋମାଞ୍ଚ ସୃଷ୍ଟି କରୁଛି । ଭୂମିଠୁ ୮୬୨ ଫୁଟ ଏବଂ ସମୁଦ୍ର ପତ୍ତନଠୁ ପ୍ରାୟ ୧୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ପୋଲର କାଚ ଜରିଆରେ ଗଭୀର ଉପତ୍ୟକା ତଳର ଦୃଶ୍ୟକୁ ସ୍ପଷ୍ଟ ଭାବେ ଦେଖିହେବ । ମୋଟାମୋଟି ପୋଲରୁ ଚତୁଃପାଶ୍ୱର୍ର ସୁନ୍ଦର ଦୃଶ୍ୟକୁ ପରିଦର୍ଶକ ମନଭରି ଉପଭୋଗ କରିପାରିବେ ।
ଫଟୋଗ୍ରାଫର୍ ଓ ରୋମାଞ୍ଚପ୍ରେମୀ ଏଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଚମତ୍କାର ଦୃଶ୍ୟ ଦେଖିପାରିବେ । ତେବେ ପୋଲ ନିର୍ମାଣରେ ସୁରକ୍ଷା ଉପରେ ସର୍ବାଧିକ ଧ୍ୟାନ ଦିଆଯାଇଛି । ଉଚ୍ଚ ଗୁଣବତ୍ତାସମ୍ପନ୍ନ, ତ୍ରିସ୍ତରୀୟ, ଜର୍ମାନୀରୁ ଆସିଥିବା ୪୦-ଏମ୍ଏମ୍ ଟେମ୍ପର୍ଡ ଲାମିନେଟେଡ୍ କାଚରେ ଏହି ଢାଞ୍ଚା ନିର୍ମିତ ହୋଇଛି । ୪୦ ଟନ୍ ପ୍ରଶସ୍ତ ଷ୍ଟିଲ୍ ଦ୍ୱାରା ଏହାକୁ ମଜଭୁତ କରାଯାଇଛି । ଉକ୍ତ ଅଞ୍ଚଳର ଶକ୍ତିଶାଳୀ ତଟୀୟ ଜଳବାୟୁ, ପବନର ଉଚ୍ଚ ବେଗର ମୁକାବିଲା ଲାଗି ଏହି ପୋଲ ନିର୍ମିତ ହୋଇଛି । ଏହି ସ୍ୱଚ୍ଛ ପ୍ଲାଟ୍ଫର୍ମ ଉପରେ ଲୋକେ ଯେମିତି ନିର୍ଭୀକ ହୋଇ, ଶାନ୍ତିରେ ଚାଲିପାରିବେ, ସେଥିପ୍ରତି ପୂରା ଧ୍ୟାନ ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୦-୧୫ ମିନିଟ୍ ଚାଲିବା ପାଇଁ ଗୋଟିଏ ବ୍ୟାଚ୍ରେ ୨୦-୪୦ ଜଣଙ୍କୁ ପୋଲରେ ଯିବାକୁ ଅନୁମତି ଦିଆଯିବ । ପୋଲରେ ଭିଡ଼ ନ ବଢ଼ାଇ ପ୍ରାକୃତିକ ଦୃଶ୍ୟରାଜିକୁ ମନଭରି ଉପଭୋଗ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ।
