
ତାମିଲନାଡୁରେ ଭୟଙ୍କର ବସ୍ ଦୁର୍ଘଟଣା। ତେନକାସି ଜିଲ୍ଲାରେ ଦୁଇ ଘରୋଇ ବସ୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଚାଲିଗଲା ୬ ଜୀବନ, ୨୮ରୁ ଅଧିକ ଆହତ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟଲୋକ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରୁଥିବା ବେଳେ ପୁଲିସ ମଧ୍ୟ ରେସ୍କ୍ୟୁ କରୁଥିବା ଜଣାପଡିଛି।
ସୂଚନାନୁସାରେ, ସୋମବାର ସକାଳେ ଏକ ଘରୋଇ ବସ ମଦୁରାଇରୁ ସେନକୋଟାଇ ଅଭିମୁଖେ ଯାଉଥିଲା । ଏହା ତେନକାସିରୁ କୋଭିଲପଟ୍ଟି ଅଭିମୁଖେ ଯାଉଥିବା ଅନ୍ୟ ଏକ ଘରୋଇ ବସକୁ ଧକ୍କା ଦେଇଥିଲା । ଭୟଙ୍କର ଦୁର୍ଘଟଣା ଉଭୟ ବସ ସମ୍ମୁଖ ଭାଗ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।
ସ୍ଥାନୀୟ ପୁଲିସ କହିବାନୁସାରେ, ମଦୁରାଇରୁ ସେନକୋଟ୍ଟାଇ ଯାଉଥିବା ବସର ଡ୍ରାଇଭର ଅତି ବେପାରୁଆ ଭାବେ ଗାଡି ଚଲାଉଥିଲେ । ଗାଡିର ବେଗ ଅଧିକ ଥିବାରୁ ବସ ନିୟନ୍ତ୍ରଣ କରିନପାରି ସାମ୍ନାରୁ ଆସୁଥିବା ଆଉ ଏକ ବସ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣ ଯାତ୍ରୀ ଜୀବନ ଯାଇଥିବା ବେଳେ ୨୮ରୁ ଅଧିକ ଯାତ୍ର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ଫଳରେ ମୃତ୍ୟୁସଂଖ୍ୟାରେ ବୃଦ୍ଧି ଘଟିପାରେ । ମୃତଯାତ୍ରୀଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ଜଣାପଡିଛି ।
