
ଘରର ବୟସ୍କ ଲୋକମାନେ ମକା ଖାଇବା ପରେ ପାଣି ପିଇବାକୁ ମନା କରିଥାନ୍ତି । ବର୍ଷାଦିନ ପୂର୍ବରୁ ବଜାରରେ ଉପଲବ୍ଧ ହୋଇଥାଏ ମକା । ପୋଡା ବା ସିଝା ମକାରେ ଲେମ୍ବୁ ରସ ଓ ଲୁଣ ଦେଇ ଖାଇବାର ମଜା ହିଁ ନିଆରା । ଏହା ଯେତିକି ସ୍ୱାଦିଷ୍ଟ, ସେତିକି ପୁଷ୍ଟକର ମଧ୍ୟ । ମକାରେ ଭିଟାମିନ୍-ସି, ଭିଟାମିନ୍-ବି ୧୨, କ୍ୟାଲସିୟମ୍ ଓ ଫାଇବର ପରି ପୋଷକତତ୍ତ୍ୱରେ ଭରା ମକା । କିନ୍ତୁ ଆପଣ ଜାଣନ୍ତି କି କାହିଁକି ମକା ଖାଇବା ପରେ ପାଣି ପିଇବାକୁ ମନା କରାଯାଏ?
ବିଶେଷଜ୍ଞଙ୍କ ମତରେ ମକା ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ପେଟରେ ସମସ୍ୟା ଉପୁଜିପାରେ । କାରଣ ପାଚନ ତନ୍ତ୍ର ଧୀମା ହୋଇଯାଏ । ମକାରେ କମ୍ପେ୍ଲକ୍ସ କାର୍ବୋ ଓ ଷ୍ଟାର୍ଚ୍ଚ ରହିଥାଏ । ସେଥିପାଇଁ ମକା ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ପେଟରେ ଯନ୍ତ୍ରଣା ହୋଇଥାଏ । ସେହିପରି ପେଟରେ ଗ୍ୟାସ୍, ବ୍ଲୋଟିଙ୍ଗ ଏବଂ କବ୍ଚ ପରି ସମସ୍ୟା ସୃଷ୍ଟି ହୋଇପାରେ । ଫଳରେ ଅସହଜ ପରିସ୍ଥିତି ଉପୁଜିଥାଏ । ଏସବୁ ସମସ୍ୟାଠାରୁ ଦୂରେଇ ରହିବା ପାଇଁ ମକା ଖାଇବାର ୪୫ ମିନିଟ୍ ପରେ ପାଣି ପିଇବା ଉଚିତ୍ ।
ମକା ଖାଇବା ସମୟରେ କେତୋଟି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ । ମକା ବିଶେଷତଃ ବର୍ଷା ଆସିବା ପୂର୍ବରୁ ବଜାରକୁ ଆସିଥାଏ । କିନ୍ତୁ ଏହି ସମୟରେ ଆମ ଶରୀର ଖୁବ୍ ସମ୍ବେଦନଶୀଳ ହୋଇଥାଏ । ତେଣୁ ବଜାରରେ ମିଳୁଥିବା ସିଝା ବା ପୋଡା ମକା ଖାଇବା ସମୟରେ କେବଳ ଗରମ ଥିବା ସମୟରେ ଏହାକୁ ଖାଇବା ଉଚିତ୍ । କାରଣ ଏହା ଅଧିକ ସମୟ ରହିବା ପରେ ଏଥିରେ ହାନିକାରକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଇପାରନ୍ତି । ତେଣୁ ପାଚନତନ୍ତ୍ରରେ ସମସ୍ୟା ଆସିବା ସ୍ୱାଭାବିକ୍ ।
