
ସାପ୍ତାହିକ ହାଟରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍। ପରିବା ବେପାରୀଙ୍କୁ ହାଣି ଟଙ୍କା ଓ ଫୋନ ଲୁଟ୍। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଇଲାକା ନିମବାହାଳି ସାପ୍ତାହିକ ହାଟରେ ବୁଧବାର ସକାଳୁ ଏଭଳି ଘଟଣା ଘଟିଛି। ପ୍ରତିବାଦରେ ଚାଷୀ ଓ ବ୍ୟବସାୟୀମାନେ ହାଟ ବନ୍ଦ କରି ଧାରଣାରେ ବସିଛନ୍ତି। ଏହାକୁ ନେଇ ଉତ୍ତେଜନା ଲାଗି ରହିଛି।
ସୂଚନାନୁଯାୟୀ, ବୁଧବାର ଭୋର ୫ଟା ବେଳେ ନିମବାହାଳି ସାପ୍ତାହିକ ହାଟରେ ଦୁଇ ଜଣ ଲୁଟେରା ଜଣେ ପରିବା ବେପାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଛନ୍ତି। ଆହତ ବେପାରୀଙ୍କ ଜଣଙ୍କ ମୋଟଙ୍ଗା ଥାନା ବାଙ୍ଗୁରୁ ସିଂହ ଗାଁର ପ୍ରଦୀପ ସାହୁ ବୋଲି ସୂଚନା ମିଳିଛି। ତାଙ୍କୁ ସାଥୀ ବ୍ୟବସାୟୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବ୍ୟବସାୟୀମାନେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ, ହାଟରେ ସୁରକ୍ଷା ଓ ହାଟକୁ ଯାତାୟାତ ନିମନ୍ତେ ସ୍ଥାୟୀ ପକ୍କା ରାସ୍ତା ନଥିବାରୁ ତାର ପ୍ରତିକାର ଦାବିରେ ଧାରଣା ଦେଇଛନ୍ତି। ଘଟଣା ସ୍ଥଳରେ ମୋଟଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହାଟର ପଟାଦାର ମଧ୍ୟ ପହଞ୍ଚି ବ୍ୟବସାୟୀଙ୍କୁ ବୁଝାସୁଝା ଚଳାଇଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।
