
୨୦୨୭ ଜାତୀୟ ଜନ ଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ । ଯାହା ସେପ୍ଟେମ୍ବର ମଧ୍ୟରେ ସରିବ । ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଗୃହ ତାଲିକା ଓ ଗୃହ ଗଣନା କରାଯିବ । ଏହି ସମୟରେ ଜନଗଣନା ଅଧିକାରୀ ଘରକୁ ଘର ବୁଲି ୩୪ଟି ପ୍ରଶ୍ନ କରିବେ । ୨୦୧୧ ଜନଗଣନା ତୁଳନାରେ ଚଳିତ ଥର ନୂଆ ପ୍ରଶ୍ନ ପଚାରିବେ । ବିଶେଷ କରି ପରିବାରରେ ବ୍ୟବହୃତ ହେଉଥିବା ପ୍ରଧାନ ଖାଦ୍ୟଶସ୍ୟ ନେଇ ପ୍ରଶ୍ନ କରିବେ । ଚାଉଳ, ଗହମ, ଯଅ, ବାଜରା, ମକା ଖାଉଥିଲେ ଅଧିକାରୀ ଲେଖିବେ । ନଚେତ ଅନ୍ୟ କୌଣସି ଖାଦ୍ୟ ସେବନ କରୁଥିଲେ ମଧ୍ୟ ଉଲ୍ଲେଖ କରିପାରିବେ ବୋଲି ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି ।
ସେହିପରି ୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ହେବ । ଏହି ପର୍ଯ୍ୟାୟରେ ଆଉ ଗୃହ ତାଲିକା କିମ୍ବା ଗୃହ ଗଣନା ନ କରି ପୂର୍ବରୁ ତାଲିକାରେ ଥିବା ଘରେ ରହୁଥିବା ଲୋକଙ୍କୁ ଜନଗଣନାରେ ସାମିଲ କରାଯିବ । ଚଳିତ ଥର ଜାତି ଜନଗଣନା କରାଯିବ । ଏ ବାବଦରେ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଥିବା ସୂଚନା ଦିଆଯାଇଛି । ସମସ୍ତ ତଥ୍ୟ ଏଥର ଡିଜିଟାଲ୍ ମାଧ୍ୟମରେ ସଂଗ୍ରହ କରାଯିବ । ଯାହା ସେନସସ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ମନିଟରିଂ ସିଷ୍ଟମ(ସିଏମ୍ଏମ୍ଏସ୍)ରେ ରହିବ । ଯେଉଁ ଘର ଜନଗଣନା ସରିବ, ତାହା ଜିଓ ଟ୍ୟାଗିଂ ହୋଇଯିବ । ଫଳରେ ଡିଜିଟାଲ୍ ମ୍ୟାପ୍ର ଜିଓ ରେଫରେନ୍ସ ମିଳିବାରେ ସୁବିଧା ହେବ । ତେବେ ପୂର୍ବ ସମସ୍ତ ଜନଗଣନା ତୁଳନାରେ ଚଳିତ ଥର ଜନଗଣନା ତଥ୍ୟର ତୁରନ୍ତ ପ୍ରସାର କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ତୁଲାଇବା ନେଇ କୃତ୍ରିମ ବୁଦ୍ଧିମତା(ଏଆଇ)ର ବ୍ୟବହାର କରାଯିବ ।
ଓଡ଼ିଶାରେ ଜନଗଣନା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପାଖାପାଖି ୩୫ ଲକ୍ଷ ଗଣନାକାରୀ, ସୁପରଭାଇଜର୍ ଏବଂ ଅନ୍ୟ ଜନଗଣନା ଅଧିକାରୀ ନିୟୋଜିତ ହେବେ । ସେମାନଙ୍କୁ ଏ ବାବଦରେ ତ୍ରିସ୍ତରୀୟ ପ୍ରଶିକ୍ଷଣ ଦିଆଯାଇଛି । ଏ ନେଇ ସାଇବର ସୁରକ୍ଷା ନେଇ ଉଚ୍ଚମାନର ପଦ୍ଧତି ଅବଲମ୍ବନ କରାଯିବ । ଜନଗଣନା ଅଧିକାରୀ ଲୋକଙ୍କ ଘରକୁ ଯିବା ବେଳେ ବୟସ, ଲିଙ୍ଗ, ବୈବାହିକ ସ୍ଥିତି, ପ୍ରଜନନ ସମ୍ବନ୍ଧୀୟ ତଥ୍ୟ, ପରିବାର ମୁଖିଆଙ୍କ ସହ ସମ୍ପର୍କ ଓ ପରିବାରର ଆକାର ବାବଦରେ ପଚାରିବେ । ଏହା ବ୍ୟତୀତ ଶିକ୍ଷା, ଅର୍ଥନୈତିକ କାର୍ଯ୍ୟକଳାପ, ଜନ୍ମସ୍ଥାନ, ଧର୍ମ, ଭାଷା, ଅକ୍ଷମତା ସ୍ଥିତି ବାବଦରେ ମଧ୍ୟ ବୁଝିବେ । ଜନଗଣନା ସଫଳ ହେବା ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନା ଠିକ ଭାବେ କାର୍ଯ୍ୟକାରୀ କରିହେବ । ବିପର୍ଯ୍ୟୟ ମୁକାବିଲା ବେଳେ ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯାଇପାରିବ । ଅନୁସୂଚିତ ଜାତି, ଜନଜାତି, ଅନ୍ୟ ସମ୍ପ୍ରଦାୟ, ଦିବ୍ୟାଙ୍ଗ ସମେତ ଦୁର୍ବଳ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମକୁ ସୁଦୃଢ କରିବ ବୋଲି ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ଶ୍ରୀ ପୱନ କଲ୍ୟାଣ ସୂଚନା ଦେଇଛନ୍ତି ।
