
ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଧନୀପୁର ନିକଟ ବେହେରାମପୁର ଅଞ୍ଚଳରେ ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ଅଭିଯୋଗରେ ପୁଲିସ ଚଢ଼ଉ କରିଛି। ଏକ ଭଡ଼ା ଘରୁ ଦୁଇ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଛି। ସେମାନେ ନିଜକୁ ପଶ୍ଚିମବଙ୍ଗର ଅଧିବାସୀ ବୋଲି ପରିଚୟ ଦେଉଥିବା ବେଳେ କୌଣସି ପରିଚୟପତ୍ର ଦେଖାଇ ପାରୁ ନ ଥିଲେ।
ସେହିପରି ଘର ମାଲିକ ସିକନ୍ଦର ଆଲମ୍ ସମେତ ୧୦ରୁ ଅଧିକ ପୁରୁଷ ଓ ମହିଳା ଫେରାର ହୋଇ ଯାଇଛନ୍ତି। ଚଢ଼ଉ ବେଳେ ଆକ୍ରମଣରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି। ଘରୁ ବନ୍ଧୁକ ଓ ବିପୁଳ ଖଣ୍ଡା, କଟୁରି ଜବତ କରାଯାଇଛି। ଘଟଣାକୁ ନେଇ ଉତ୍ତେଜନା ଦେଖା ଦେବାରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି।
ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ସେହି ଘରେ କିଛିଦିନ ହେଲା ବାଂଲାଦେଶୀ ରହୁଥିବା ସୂଚନା ମିଳିଥିଲା। ସେହି ସୂଚନା ଆଧାରରେ ଆଜି ସନ୍ଧ୍ୟାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଅଳ୍ପ ସଂଖ୍ୟକ ପୁଲିସ ଥିବାରୁ କେତେକ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଦୁଇ ଜଣ ମହିଳା ଧରା ପଡ଼ି ଯାଇଥିଲେ।
