
ନକଲି ପୁଲିସ ସିନା, ଆଉ ସବୁ ଥିଲା ଅସଲି । ଆଇପିଏସ ଲୋଗୋ ସହ ଟୋପି, ଷ୍ଟାର ଚିହ୍ନ ବି ଓଡ଼ିଶା ପୋଲିସର ଅବିକଳ। କେବଳ ପୁଲିସ ପୋଷାକ ନୁହେଁ, ଆର୍ମି ସହ ଅନେକ ସିଆରପି ପୋଷାକ, ସିଆଇଏସଏଫ ଭଳି ପୋଷାକ ଦେଖି ପୁଲିସ ତାଜୁବ ହୋଇଛି । ଗିରଫ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ରାହୁଲ ସିଂ ରଣାୟତ୍ତ । ତାଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ବନ୍ଧୁକ ସହ ଆରପିଏଫ, ପୁଲିସ ଓ ଆର୍ମିର ବ୍ଯାଚ ଆଦି ବିପୁଳ ମାତ୍ରାରେ ପୁଲିସ ସାମଗ୍ରୀ ଜବତ ହୋଇଛି ।
ସୂଚନା ମୁତାବକ, ୧୬ ନମ୍ୱର ଜାତୀୟ ରାଜପଥ ନିକଟ ନଳାଙ୍ଗ ନିକଟ ଏକ ହୋଟେଲରେ ଭଡ଼ାରେ ରହୁଥିଲେ ରାହୁଲ ସିଂ । ସବୁଦିନ ଏକ ଦାମୀ କାର୍ ଧରି ୩ ସହଯୋଗୀ ସହ ବାହାରକୁ ଯାଉଥିଲେ । ସନ୍ଦେହ ହେବାରୁ ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଗ୍ରାମାଞ୍ଚଳ ପୁଲିସ ହୋଟେଲରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ରାହୁଲ ସିଂଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ୩ ସହଯୋଗୀଙ୍କୁ ଅଟକ ରଖା ଯାଇଛି । ଏସମ୍ପର୍କରେ ଗ୍ରାମାଞ୍ଚଳ ଥାନା ଆଇଆଇସି ନିରୋଜ ସାମଲ ସୂଚନା ଦେଇଛନ୍ତି ।

