
ଦିଲ୍ଲୀ ବିସ୍ଫୋରଣକୁ ନେଇ ସାରା ଦେଶରେ ଏବେ ହାଇ ଆଲର୍ଟ । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କେବଳ ଦିଲ୍ଲୀ ନୁହେଁ ଏହା ଉପରେ ଏବେ ସାରା ଦେଶର ନଜର । କିନ୍ତୁ ଏପଟେ ଦେଖିବାକୁ ଗଲେ ପାରାଦୀପରେ ସମୁଦ୍ରପଥ ସମ୍ପୂର୍ଣ୍ଣ ମୁକୁଳା ରହିଛି । ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀ ଅଭାବରୁ ନାହିଁ ନାହିଁରେ ସାମୁଦ୍ରିକ ଥାନା ଚାଲୁଛି । ଦିଲ୍ଲୀ ବିସ୍ଫୋରଣକୁ ନେଇ ପାରାଦୀପରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଛି । ଆତଙ୍କବାଦୀ ହୁଅନ୍ତୁ ବା ବାହ୍ୟଶତ୍ରୁ ସ୍ଥଳପଥ ଅପେକ୍ଷା ଜଳପଥକୁ ବେଶୀ ସହଜ ମନେ କରନ୍ତି । ସମୁଦ୍ର ତଟକୁ ସୁରକ୍ଷା ଦେବା ପାଇଁ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଥିଲା ।
ପାରାଦୀପରେ ଦୁଇଟି ସାମୁଦ୍ରିକ ଥାନା ରହିଛି । ଦିନକୁ ଦିନ ବଢୁଛି ଶିଳ୍ପ ନଗରୀ କିନ୍ତୁ ପୁଲିସ ବ୍ୟବସ୍ଥାରେ ନବୀକରଣ ହୋଇପାରୁ ନାହିଁ । ବର୍ଷ ବର୍ଷ ଧରି କର୍ମଚାରୀଙ୍କ ଅଭାବ କ’ଣ ଆତଙ୍କବାଦୀ ଆକ୍ରମଣକୁ ସାମନା କରି ପ୍ରତିହତ କରିପାରିବ । ଦିଲ୍ଲୀ, ଜାମ୍ମୁ କାଶ୍ୱିରର ପହଲଗାମ ପରି ଘଟିବ ତାହାକୁ ନେଇ ପାରାଦୀପରେ ଆତଙ୍କ ଦେଖାଦେଇଛି । ନାହିଁ ନାହିଁରେ ଚାଲୁଛି ପାରାଦୀପ ସାମୁଦ୍ରିକ ଥାନା ଓ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା । ପାରାଦୀପ ସାମୁଦ୍ରିକ ଥାନାର ଅନୁମାଦିତ ପଦବି ଜଣେ ଇନ୍ସପେକ୍ଟର ସମେତ ୩ ଜଣ ସବ୍ ଇନ୍ସପେକ୍ଟର, ୩ ଜଣ ଏଏସ୍ଆଇ, ୮ ଜଣ ହାବିଲଦାର, ୨୪ ଜଣ କନଷ୍ଟେବଳ, ୨ ଜଣ ଏଡି, ୧୫ ଜଣ ଗୃହରକ୍ଷୀ ସମେତ ୫୬ ଜଣ କର୍ମଚାରୀଙ୍କ ଆବଶ୍ୟକ ରହିଥିବା ବେଳେ ବର୍ତ୍ତମାନ ଅଛନ୍ତି ଜଣେ ଇନ୍ସପେକ୍ଟର, ୨ ଜଣ ଏଏସ୍ଆଇ, ୬ ଜଣ କନଷ୍ଟେବଳ, ୩ ଜଣ ଗୃହରକ୍ଷୀ ସମେତ ୧୨ ଜଣ କର୍ମଚାରୀ ଅଛନ୍ତି । ସେହିପରି ଟେକ୍ନିକାଲ୍ ଷ୍ଟାଫ୍ ୨୨ ଜଣ ଅନୁମୋଦିତ ପଦବି ଥିବାବେଳେ ଅଛନ୍ତି ମାତ୍ର ୧୦ ଜଣ । ମାଷ୍ଟର ୪ ଜଣ ପରିବର୍ତ୍ତେ ଅଛନ୍ତି ୩ ଜଣ, ଇଞ୍ଜିନ ଡ୍ରାଇଭର ୬ ଜଣ ପରିବର୍ତ୍ତେ ଅଛନ୍ତି ୨ ଜଣ, ସେରଙ୍ଗ ୬ ଜଣ ପରିବର୍ତ୍ତେ ଅଛନ୍ତି ୫ ଜଣ, ଡିଙ୍ଗି ଡ୍ରାଇଭର ୨ ଜଣ ଓ ସିମ୍ୟାନ୍ ମେକାନିକ ୪ ଜଣ ରହିବାକୁ ଥିବା ବେଳେ ଏହି ପଦବିରେ କେହି ନାହାନ୍ତି । କିନ୍ତୁ ପାରାଦୀପ ସାମୁଦ୍ରିକ ଥାନାକୁ ଦୁଇଟି ବୋଟ୍ ଓଡ଼ିଶା ସରକାର ଦେଇଥିବା ବେଳେ ଅନ୍ୟଟି ଭଡ଼ାରେ ଆସିଛି । ଦୁଇଟି ବୋଟ୍ ପୁରୁଣା ହୋଇ ଯାଇଥିବାରୁ ନୂଆ ବୋଟ୍ ଏପର୍ଯ୍ୟନ୍ତ ଆସି ନାହିଁ । ମୋଟାମୋଟି ଭାବରେ ପାରାଦୀପ ସାମୁଦ୍ରିକ ଥାନାରେ ୭୮ ଜଣ କର୍ମଚାରୀଙ୍କ ସ୍ଥାନରେ ଅଛନ୍ତି ୨୨ ଜଣ କର୍ମଚାରୀ ।
ସେହିପରି ଜଟାଧାରୀ ମୁହାଣ ସାମୁଦ୍ରିକ ଥାନାରେ ଜଣେ ଇନ୍ସପେକ୍ଟର, ତିନି ଜଣ ଏସ୍ଆଇ ପଦବି ଥିବା ବେଳେ ଜଣେ ହେଲେ ବି ଏସ୍ଆଇ ନାହାନ୍ତି,୩ ଜଣ ଏଏସ୍ଆଇ ପଦବିରୁ ୨ ଜଣ ଏଏସଆଇ ଅଛନ୍ତି, ୮ ଜଣ ହାବିଲଦାରଙ୍କ ମଧ୍ୟରୁ ଜଣେ ଅଛନ୍ତି । ୨୪ ଜଣ କନଷ୍ଟେବଳଙ୍କ ମଧ୍ୟରୁ କେବଳ ୬ ଜଣ ଅଛନ୍ତି, ସହକାରୀ ଡ୍ରାଇଭର ୨ ଜଣଙ୍କ ମଧ୍ୟରୁ କେହି ନାହାନ୍ତି । ହୋମ୍ଗାର୍ଡ ୧୫ ଥିବା ବେଳେ ଅଛନ୍ତି କେବଳ ୪ ଜଣ । ମୋଟ ପଦବି ସଂଖ୍ୟା ୫୬ ଥିବା ବେଳେ ଅଛନ୍ତି ୧୪ ଜଣ । ଦୁଇଟି ସାମୁଦ୍ରିକ ଥାନାରେ ମୋଟ ପଦବି ସଂଖ୍ୟା ୧୩୪ରୁ ଅଛନ୍ତି ମାତ୍ର ୩୬ ଜଣ କର୍ମଚାରୀ । ପାରାଦୀପ ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ ସହିତ ପୁରୁଣା ୨ଟି ବୋଟ୍ରେ ପାଟ୍ରୋଲିଂ ଚାଲିଛି । ୨୦୧୧ ମସିହାରେ ନୂଆ ବୋଟ୍ ଆସିଥିଲା । ସେବେଠାରୁ ଆଉ ବୋଟ୍ କିଣା ଯାଇନି । ସାମୁଦ୍ରିକ ଥାନାକୁ ଭରସା ଲାଠି ଓ ଟର୍ଚ୍ଚ ଲାଇଟ୍ । ବର୍ତ୍ତମାନ ସମୂଦ୍ରରେ ପାଟ୍ରୋଲିଂ ୬ ଘଣ୍ଟା ରୁ ୧୦ ଘଣ୍ଟାକୁ ବଢାଇ ଦିଆଯାଛି । ପାରାଦୀପରେ ପ୍ଲାଟୁନ ଫାର୍ସ ନାହାଁନ୍ତି କି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନାହିଁ । ଯେ କୌଣସି ମୁହୂର୍ତ୍ତ ରେ ଆତଙ୍କି ହାମଲା କୁ ଏଡାଇ ଦିଆଯାଇ ନ ପାରେ । ଏଭଳି ସ୍ଥିତିରେ ପାରାଦୀପ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଆବଶ୍ୟକ ସଂଖ୍ୟକ ପଦବି ପୂରଣ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଏସମ୍ପର୍କରେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସରକାର ଯେତିକି କର୍ମଚାରୀ ଦେଇଛନ୍ତି ସେତିକି କର୍ମଚାରୀଙ୍କୁ ନେଇ କାମ ଚାଲିଛି । ଆଉ ଅଧିକ କର୍ମଚାରୀ ଦେଲେ କାମ ଆହୁରି ଅଧିକ ଚାଲିବ ବୋଲି କହିଛନ୍ତି ।
