
ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇସାରିଛି । ଶୁକ୍ରବାରକୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ପ୍ରବଳ ବର୍ଷିବ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳରେ । ସମ୍ଭାବ୍ୟ ବର୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ୧୮ଟି ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅପରପକ୍ଷରେ ଆଉ ଗୋଟିଏ ଲଘୁଚାପ ହୋଇପାରେ ଅକ୍ଟୋବର ପହିଲାବେଳକୁ, ଯାହାକି ଅବପାତ ରୂପ ନେବା ନେଇ କିଛି ମଡେଲ୍ ଅନୁମାନ କରୁଛନ୍ତି । ଏହା ପ୍ରଭାବରେ ଦଶହରା ପାର୍ବଣ ଭିଜିବା ଆଶଙ୍କା ସୃଷ୍ଟି ହୋଇଛି । ଏପଟେ କିନ୍ତୁ ଗତ ୨/୩ ଦିନର ବର୍ଷା ଯୋଗୁ ମହାନଦୀ ଜଳସ୍ତର ଫୁଲୁଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଅବପାତ ରୂପ ନେବ । ୨୭ ତାରିଖ ସକାଳେ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ କୋରାପୁଟ ଓ ମାଲକାନଗିରିରେ ଅତି ପ୍ରବଳ ଓ ଅନ୍ୟାନ୍ୟ ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହୋଇପାରେ ।
ପାଣିପାଗ ବିଭାଗ କହିଛି, ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । କୋରାପୁଟ, ମାଲକାନଗିରିରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ନୟାଗଡ଼, ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଥିବାବେଳେ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ । ୨୭ରେ ବି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୮, ୨୯, ୩୦ ଓ ଅକ୍ଟୋବର ପହିଲାରେ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ବଡ଼ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି କରାଯାଇନି ।
ଆସନ୍ତା ୧୫ ଦିନ ପାଇଁ ପାଣିପାଗ ବିଭାଗ ବିସ୍ତାରିତ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ପ୍ରଥମ ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଅକ୍ଟୋବର ପ୍ରଥମ ସପ୍ତାହରେ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

