
ଆମେରିକାର ପ୍ରଶାସନ ସାରା ଦେଶରେ ସଟଡାଉନ ଲାଗୁ କରିଛି । ୬ ସପ୍ତାହ ଧରି ଏହି ସଟଡାଉନ ଲାଗୁ ହେଲାଣି । ଫଳରେ ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଦରମା ମିଳିନି । ତେଣୁ ସେମାନେ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଏହି ବନ୍ଦ ଯୋଗୁଁ ଆମେରିକାରେ ବିମାନ ସେବା ପ୍ରଭାବିତ ହୋଇଥିବା ବେଳେ ଖାଦ୍ୟ ସହାୟତା କାର୍ଯ୍ୟକ୍ରମ ଏବଂ ସରକାରୀ ସେବା ବାଧାପ୍ରାପ୍ତ ହୋଇଛି, ଯାହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିଛି । ବିଶେଷଜ୍ଞଙ୍କ ମତରେ, ଏହା ଆମେରିକାର ଇତିହାସର ସବୁଠାରୁ ଦୀର୍ଘ ସରକାରୀ ସଟଡାଉନ, ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାର ବିଶ୍ୱାସ ଉପରେ ପ୍ରଶ୍ନ ଉଠାଇଛି ।
ସିନେଟ୍ ସାଂସଦମାନେ ପ୍ରଥମ ଥର ପାଇଁ ଏହି ଗତିରୋଧକୁ ବନ୍ଦ କରିବା ଲାଗି ଚେଷ୍ଟା ଚଳାଇଛନ୍ତି, କିନ୍ତୁ ଦ୍ୱିପାକ୍ଷିକ ଆଲୋଚନାରେ କୌଣସି ଅଗ୍ରଗତି ଦେଖାଯାଉନାହିଁ । ଡେମୋକ୍ରାଟମାନେ ଚାହାଁନ୍ତି, ସରକାର ପ୍ରଥମେ ଫେଡେରାଲ୍ ବଜେଟ୍ ପାସ୍ କରନ୍ତୁ ଏବଂ ଏହା ପରେ ନୀତିଗତ ପ୍ରସଙ୍ଗ ଉପରେ ଆଲୋଚନା କରନ୍ତୁ । ଅନ୍ୟପଟେ ଟ୍ରମ୍ପ ପ୍ରଶାସନ ସ୍ୱାସ୍ଥ୍ୟ ନୀତି ଏବଂ ସୀମା ସୁରକ୍ଷା ଉଭୟକୁ ସଂଯୋଗ କରିବା ଉପରେ ଜୋର ଦେଉଛି । ଏହି ଗତିରୋଧ ଧୀରେ ଧୀରେ ଆମେରିକାର ଅର୍ଥନୀତିକୁ ପ୍ରଭାବିତ କରୁଛି । ଛୋଟ ବ୍ୟବସାୟଙ୍କୁ ସରକାରୀ ଋଣ ବନ୍ଦ କରିଦିଆଯାଇଥିବା ବେଳେ ଜାତୀୟ ଉଦ୍ୟାନ ଏବଂ ସଂଗ୍ରହାଳୟରେ ତାଲା ଝୁଲୁଛି । ସଟଡାର ପ୍ରଭାବରେ ଦେବାଳିଆ ପରିସ୍ଥିତିରେ ପହଞ୍ଚିଲେଣି ସରକାରୀ ଠିକାଦାର ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି ଯେ, ସେ ଡେମୋକ୍ରାଟଙ୍କ ସହିତ ବୁଝାମଣା କରିବାକୁ ଇଚ୍ଛୁକ ନୁହଁନ୍ତି । ସେ ଆଫୋଡେବଲ୍ କେୟାର ଆକ୍ଟକୁ ଟାର୍ଗେଟ୍ କରି ଏହାକୁ ବିଶ୍ୱର ସବୁଠାରୁ ଖରାପ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବୋଲି କହିଥିଲେ । ଟ୍ରମ୍ପ ଚାହାଁନ୍ତି ଯେ, କଂଗ୍ରେସ ନାଗରିକମାନଙ୍କୁ ସିଧାସଳଖ ଟଙ୍କା ଯୋଗାଇ ଦେଉ ଯାହା ଦ୍ୱାରା ସେମାନେ ନିଜର ବୀମା କିଣିପାରିବେ । ତାଙ୍କ ମତରେ ଏହା ଆମେରିକୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିପାରିବ । ଅନ୍ୟପଟେ ଡେମୋକ୍ରାଟିକ୍ ପାର୍ଟି ଟ୍ରମ୍ପଙ୍କ ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରି ଯୁକ୍ତି ଦେଇଛି ଯେ, ଏହା ବୀମା କମ୍ପାନୀ ଏବଂ ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅନୁପଯୁକ୍ତ ଭାବେ ଲାଭ ପହଞ୍ଚାଇବ ଏବଂ ଗରିବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ଅଧିକ ମହଙ୍ଗା କରିବ ।
ସଟଡାଉନ୍ ସଙ୍କଟ ମଧ୍ୟରେ ଟ୍ରମ୍ପ ଆଉ ଏକ ବିବାଦୀୟ ପରାମର୍ଶ ଦେଇଛନ୍ତି । ସେ ରିପବ୍ଲିକାନ ସାଂସଦମାନଙ୍କୁ ଫିଲିବଷ୍ଟର ନିୟମକୁ ଉଚ୍ଛେଦ କରିବାକୁ ଆହ୍ୱାନ କରିଛନ୍ତି, ତେବେ କୌଣସି ଆଇନ ପାସ୍ କରିବା ପାଇଁ ସିନେଟରେ ୬୦ଟି ଭୋଟ ଆବଶ୍ୟକ । ଯଦି ଏହି ନିୟମକୁ ଉଚ୍ଛେଦ କରାଯାଏ, ତେବେ ରିପବ୍ଲିକାନମାନେ ବହୁମତ ସହ ଆଇନ ପାସ୍ କରିପାରିବେ । ଏଥିସହ ଡେମାେକ୍ରାଟ୍ସକୁ ସମ୍ପୂର୍ଣ୍ଣ ହଟାଇବାରେ ସୁବିଧା ହେବ ।

