
ଆଇସିସି ଦିନିକିଆ ବିଶ୍ବକପ ଜିତି ଇତିହାସ ରଚିଛି ଭାରତୀୟ ମହିଳା ଟିମ୍ । ନଭେମ୍ବର ୨ ତାରିଖରେ ନଭୀ ମୁମ୍ବାଇର ଡିୱାଇ ପାଟିଲ ସ୍ପୋଟର୍ସ ଏକାଡେମୀରେ ଖେଳାଯାଇଥିବା ଭାରତ-ସାଉଥ ଆଫ୍ରିକାକୁ ୫୨ ରନରେ ହରାଇଛି । ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ବିଶ୍ବକପ ଟାଇଟଲ ଜିତିଛି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କିନ୍ତୁ ମହିଳା କ୍ରିକେଟ ଏହି ସ୍ଥିତିରେ ପହଞ୍ଚିବା ଏତେ ସହଜ ନ ଥିଲା । ଆଜି ଏହି ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା ମହିଳା କ୍ରିକେଟର୍ ମାନଙ୍କୁ ।
ଆଜି ସାରା ବିଶ୍ୱରେ ମହିଳା କ୍ରିକେଟର ବେଶ ଦବ୍ଦବା ରହିଛି । ତଥାପି, ଏତେ ସଂଘର୍ଷ ପରେ ବି ମହିଳା କ୍ରିକେଟ ପୁରୁଷଙ୍କ ତୁଳନାରେ କମ ଧ୍ୟାନ ପାଇଥାଏ । ତେବେ ଆସନ୍ତୁ ଜାଣିବା ମହିଳା କ୍ରିକେଟର ଇତିହାସ ବିଷୟରେ । କ୍ରିକେଟ ଇତିହାସରେ ୨୬ ଜୁଲାଇ ୧୭୪୫ରେ ଖେଳାଯାଇଥିଲା ପ୍ରଥମ ମହିଳା ମ୍ୟାଚ । ତେବେ ସରକାରୀ ଆକଳନ ଅନୁଯାୟୀ, ୧୮୮୭ରେ ୟର୍କସାୟାର ପ୍ରଥମ କ୍ରିକେଟ କ୍ଲବ ନିର୍ମାଣ ହୋଇଥିଲା । ଯେଉଁଠାରେ ତିନି ବର୍ଷ ପରେ ପ୍ରଥମଥର ପାଇଁ ଏକ ମହିଳା କ୍ରିକେଟ ଟିମ୍ ଗଠନ ହେଲା ।
ପ୍ରଥମ ମହିଳା କ୍ରିକେଟ ଟିମ୍ ନାମ ଇଂଲଣ୍ଡ ‘ଲେଡି କ୍ରିକେଟର’ ରଖାଯାଇଥିଲା । ଏହି ଟିମ୍ ଗଠନ ହେବା ସହିତ ସାରା ବିଶ୍ୱରେ ଆରମ୍ଭ ହୋଇଥିଲା ମହିଳା କ୍ରିକେଟ । ଆଗକୁ ଯାଇ ଏହା ଅନ୍ୟ ଦେଶରେ ମଧ୍ୟ ପହଞ୍ଚିଥିଲା । ଧୀରେ ଧୀରେ କ୍ରିକେଟ ମହିଳାମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେବାକୁ ଲାଗିଲା । ଖୁବ ଶୀଘ୍ର ଏହା ଅନେକ ଦେଶରେ ଖେଳାଯିବା ମଧ୍ୟ ଆରମ୍ଭ ହେଲା । ମହିଳା କ୍ରିକେଟ ମ୍ୟାଚ ପାଇଁ ଲୋକଙ୍କ କ୍ରେଜ ବହୁତ ଦ୍ରୁତ ଗତିରେ ବଢିବାରେ ଲାଗିଲା । ଯାହାପରେ ୧୯୩୪ରେ ପ୍ରଥମ ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା ।
ଏହି ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍ରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ହରାଇଥିଲା । ୧୯୭୩ରେ, ଟେଷ୍ଟ ପରେ ମହିଳା କ୍ରିକେଟର ପ୍ରଥମ ଦିନକିଆ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସେବେଠାରୁ ମହିଳା କ୍ରିକେଟ ଆଉ ପଛକୁ ଫେରି ଚାହିଁନାହିଁ, ମହିଳାମାନେ ସେମାନଙ୍କର ଦକ୍ଷତା ଏବଂ ଦୃଢ ପ୍ରଦର୍ଶନ ସହିତ ସମଗ୍ର ବିଶ୍ୱରେ ନିଜର ଛାପ ଛାଡିଛନ୍ତି । ଆଜିର ସମୟରେ ମହିଳା କ୍ରିକେଟ ବହୁତ ଉପର ସ୍ତରରେ ଅଛି । ଆଉ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ବିଶ୍ବକପ ଟାଇଟଲ ଜିତିଛି । ଯାହାକୁ ନେଇ ସାରା ଦେଶ ଗର୍ବିତ ।

