
ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳର ଏକ ଗାଁରେ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ବିଫଳ ହେବା ପରେ ଘର ଜାଳିଦେବ ବୋଲି ଧମକ ଦେଇଥିଲା ଦୁର୍ବୃତ୍ତ। ପରେ ଦିବ୍ୟାଙ୍ଗ ବାପା ମାଆ ଥାନାରେ ଅଭିଯୋଗ କରିବାରୁ ଘର ଜାଳି ଦେବା ପାଇଁ ମଧ୍ୟ ଉଦ୍ୟମ କରିଛି ଅଭିଯୁକ୍ତ। ନିଆଁରେ ଝରକାର କିଛି ଅଂଶ ପୋଡ଼ି ଯାଇଥିଲେ ବି ଘର ରକ୍ଷା ପାଇଯାଇଛି।
ରବିବାର ରାତି ନାବାଳିକା ଜଣକ ଘରେ ଶୋଇଥିବା ବେଳେ ୧୨ଟାରେ ପୂର୍ବତନ ପାହାଡ଼ି ଚିତା ଗ୍ଯାଙ୍ଗର ସଦସ୍ଯ ମୁକେଶ ସିଂ ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକା ଜଣକ ତାକୁ ବାଡ଼ିରେ ପିଟିବା ସହ ପାଟି କରିବାରୁ ବାପା ମାଆ ଉଠି ଯିବାରୁ ମୁକେଶ ସେଠାରୁ ଫେରାର ହୋଇଯାଇଥିଲା। ଥାନାରେ ଅଭିଯୋଗ କଲେ ଘର ଜାଳିଦେବ ଓ ସମସ୍ତଙ୍କୁ ଶେଷ କରିଦେବ ବୋଲି ଧମକ ଦେଇଥିଲା।
ଗତକାଲି ବାପାମାଆ ଥାନାରେ ଲିଖିତ ଅଭିଯୋଗ କଲା ପରେ ରାତିରେ ଅଭିଯୁକ୍ତ ମୁକେଶ ଘରକୁ ଜାଳି ଦେବା ପାଇଁ ମଧ୍ୟ ଉଦ୍ୟମ କରିଥିଲା । ଅଭିଯୁକ୍ତ ମୁକେଶ ପୂର୍ବରୁ ମାଓ ସଙ୍ଗଠନ ପାହାଡ଼ିଚିତା ଗ୍ୟାଙ୍ଗର ସଦସ୍ୟ ଥିଲା । ସେ ଅନେକ ଅପରାଧରେ ଜଡ଼ିତ ଥିବା ଜଣାପଡ଼ିଛି। ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ମାଗିବା ଘଟଣାରେ ପୂର୍ବରୁ ଜେଲ ଯାଇ ସାରିଛି। ଏବେ ଏ ଘଟଣାରେ ମାମଲା ରୁଜୁ ପରେ ସେ ଫେରାର ଥିବା ବେଳେ ଡିଏସପିଙ୍କ ନେତୃତ୍ବରେ ପୁଲିସ ତାକୁ ଧରିବା ପାଇଁ ତନାଘନା ଚଳାଇଛି।
