
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରେ କୋଇଲା ଟ୍ରକ ଚଳାଚଳକୁ ନେଇ ଦୀର୍ଘ ଦିନ ହେବ ହୋଇ ଆସୁଥିବା ବିବାଦର ଅବସାନ ଘଟିଛି। ଲୋକଙ୍କ ସତ୍ୟାଗ୍ରହର ଯବନିକା ପକାଇଛନ୍ତି ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ। ଏପରିକି ଶାସକ ଦଳରେ ରହି ମଧ୍ୟ ଯଦି ତାଙ୍କ ବିଧାୟକ ପଦବୀ ଚାଲି ଯାଏ ତଥାପି ଲୋକଙ୍କ ଖୁସିରେ ଏବଂ ଲୋକଙ୍କ ସେବାରେ ସେ ରହିବେ । ତେଣୁ ଲୋକଙ୍କ ସମସ୍ୟା ତାଙ୍କ ସମସ୍ୟା ସେ ପ୍ରକାଶ କରିଛନ୍ତି। ଏପରିକି ପୂର୍ବ ସରକାରରେ ଭୁଲ ଯୋଗୁଁ ଆଜି ବାରିହାପୁର ଗ୍ରାମବାସୀ ଅସୁବିଧା ଭୋଗୁଥିବା ସେ କହିଛନ୍ତି। ତେଣୁ ବାରିହାପୁର ଗାଁରେ ଭାରୀଯାନ କୋଇଲା ଟ୍ରକ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ସହିତ ଲୋକଙ୍କ ନିଷ୍ପତି ବଳବତ୍ତର ରହିବ ବୋଲି କହିଛନ୍ତି। ଅନୁଗୁଳ -ସୁକିନ୍ଦା ନୂତନ ରେଳପଥ ପାଇଁ ବାରିହାପୁର ଗାଁ ଦେଇ ଟ୍ରକ ଯୋଗେ ରେଲୱେକୁ କୋଇଲା ପରିବହନ କରାଯାଉଥିଲା। ଯାହା ଲୋକଙ୍କ ଯାତାୟାତ, ପରିବେଶ ପ୍ରଦୂଷଣ ଏବଂ କୁନି କୁନି ଛୁଆଙ୍କ ଜୀବନ ପ୍ରତି ବିପଦ ଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ। ଏପରିକି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗାଁରେ କୋଇଲା ଟ୍ରକ ଚଳାଚଳ ଜାରି ରହିଥିଲା। ଯାହାକୁ ନେଇ ଗ୍ରାମବାସୀ ମାନେ ଗାଁ ଯାତ୍ରା ପଡିଆ ଠାରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହରେ ବସିଥିଲେ। ନୂଆପଡା ଗ୍ରସ୍ତରେ ଥିବା ପରଜଙ୍ଗ ବିଧାୟକ ଖବର ପାଇ ଲୋକଙ୍କ ନିକଟରେ ପହଞ୍ଚି ଲୋକଙ୍କ ସମସ୍ୟାର ସମାଧାନ କରିଛନ୍ତି। ଯାହାକୁ ନେଇ ବିଧାୟକଙ୍କୁ ବିଭିନ୍ନ ଦିଗରୁ ପ୍ରସଂଶା କରାଯାଉଛି।
