
ଆସନ୍ତା ୨୬ ଓ ୨୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହେବ । ୨୬ରେ ଲଘୁଚାପ ପ୍ରଭାବରେ କୋରାପୁଟ ଓ ରାୟଗଡ଼ାରେ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୨୭ରେ ମଧ୍ୟ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । କିନ୍ତୁ ୨୮ ତାରିଖରୁ ବର୍ଷା ନାହିଁ ବୋଲି ପୂର୍ବାନୁମାନ ଦିଆଯାଇଛି । ସେପଟେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଆଗକୁ ଅଧିକ ବର୍ଷା ଥିବାରୁ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।
ଗୁରୁବାର ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବହୁ ଜିଲ୍ଲାରେ ଭାରୀ ବର୍ଷା ଆଶଙ୍କା ଅଛି । କୋରାପୁଟ, ରାୟଗଡ଼ା, ଗଜପତି, ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ପବନର ଝଟ୍କା ୬୦କିମି ଛୁଇଁପାରେ । ମୟୂରଭଞ୍ଜକୁ ଅଧିକ ବର୍ଷା ଅଛି । ଆଭ୍ୟନ୍ତରୀଣ ଓଡି଼ଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
୨୭ ତାରିଖରେ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ଏବେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ ରହିଛି ଓ ଧୀରେ ଧୀରେ ଦୁର୍ବଳ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହୋଇଯିବ । ଗୁରୁବାର ସୁଦ୍ଧା ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ । ଏହା ପଶ୍ଚିମ ଦିଗରେ ମୁହାଁଇ ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ୨୭ ତାରିଖ ଯାଏ ଅଧିକ ବର୍ଷା ହେବ ।
