
ଭାରତରେ ସବୁଠୁ ସୁବିଧା, ଶସ୍ତା ଓ ସମୟ ସାପେକ୍ଷ ଯାତ୍ରା ହେଉଛି ରେଳଯାତ୍ରା। ପ୍ରାୟତଃ ଲମ୍ଵା ଯାତ୍ରା ପାଇଁ ଲୋକମାନେ ରେଳଯାତ୍ରାକୁ ପସନ୍ଦ କରୁଛନ୍ତି। ବିଶେଷ କରି ପର୍ବ ପର୍ବାଣୀ ସମୟରେ ରେଳଯାତ୍ରୀଙ୍କ ସଂଖ୍ୟା ବଢିଯାଏ। ପ୍ରବାସୀମାନେ ସେମାନଙ୍କ ଘରକୁ ଫେରନ୍ତି। ଏଥିପାଇଁ ଯାତ୍ରୀବାହୀ ଟ୍ରେନ୍ ଗୁଡ଼ିକରେ ଖଚାଖଚ୍ ଭିଡ଼ ହୁଏ। ତେଣୁ ସରକାର ଅଧିକ ଟ୍ରେନ୍ର ବ୍ୟବସ୍ଥା କରନ୍ତି। ତେବେ ଏତେ ଭିଡ଼ ସତ୍ତ୍ଵେ କାହିଁକି ପାସେଞ୍ଜର ଟ୍ରେନ୍ର କୋଚ୍ ସଂଖ୍ୟା ବୃଦ୍ଧି କରୁନି ରେଲୱେ ? ମାଲଗାଡ଼ି ଭଳି ପାସେଞ୍ଜର୍ ଟ୍ରେନ୍ରେ ବି କାହିଁକି ଲାଗିପାରିବନି ୬୦ ଡବା ? ଜାଣନ୍ତୁ…
ଭାରତରେ ଗୋଟିଏ ପାସେଞ୍ଜର ଟ୍ରେନ୍ରେ ୨୪ଟି ବଗି ଥାଏ। ପ୍ରତି ବଗିର ଲମ୍ଵ ୨୫ ମିଟର ବିଶିଷ୍ଟ ହୋଇଥାଏ। ଅର୍ଥାତ୍ ସମ୍ପୂର୍ଣ୍ଣ ଟ୍ରେନ୍ର ଲମ୍ଵ ୬୦୦ ମିଟର ହୋଇଥାଏ। ସେହିପରି ଇଣ୍ଡିଆନ ରେଲୱେର ଲୁପ୍ ଲାଇନ୍ ୬୫୦ ମିଟର ବିଶିଷ୍ଟ ହୋଇଥାଏ। ଗୋଟିଏ ରୁଟ୍ରୁ ଆସୁଥିବା ଦୁଇଟି ଟ୍ରେନ୍ ମଧ୍ୟରୁ ଗୋଟିଏ ଟ୍ରେନ୍ ଯିବା ପର୍ଯ୍ୟନ୍ତ ଆଉ ଗୋଟିଏ ଟ୍ରେନ୍ ଏହି ଲାଇନରେ ଅପେକ୍ଷା କରିଥାଏ। ତେଣୁ ପାସେଞ୍ଜର ଟ୍ରେନ୍ର ଲମ୍ଵ ୬୫୦ ମିଟରରୁ ଅଧିକ ହେଲେ ଏହି ଲୁପ୍ ଲାଇନ୍ରେ ରହିପାରିବ ନାହିଁ। ତେଣୁ ପାସେଞ୍ଜର ଟ୍ରେନ୍ରେ ୨୪ ରୁ ଅଧିକ ବଗି ଲଗାଯାଏ ନାହିଁ।
ମାଲଗାଡ଼ି କଥା କହିବାକୁ ଗଲେ ଏଥିରେ ମୋଟ ୫୮ ରୁ ୬୦ଟି ଡବା ଥାଏ। ପ୍ରତି ଡବା ଗୁଡ଼ିକର ଲମ୍ଵ ୧୦ ରୁ ୧୫ ମିଟର ହୋଇଥାଏ। ଲମ୍ଵ କମ୍ ଥିବାରୁ ଡବା ସଂଖ୍ୟା ଅଧିକ ଥାଏ। ପ୍ରକୃତରେ ଦେଖିବାକୁ ଗଲେ ଯାତ୍ରୀବାହୀ ଟ୍ରେନ୍ ଏବଂ ମାଲବାହୀ ଟ୍ରେନ୍ର ଲମ୍ବ ସମାନ ଥାଏ। ତେବେ ମାଲଗାଡ଼ିର ଡବା ଛୋଟ ହୋଇଥିବା ବେଳେ ଯାତ୍ରୀବାହୀ ଟ୍ରେନ୍ର ବଗି ବଡ଼ ହୋଇଥାଏ।

