
ରାଜ୍ୟରେ ବାତ୍ୟା ମୋନ୍ଥାର ପ୍ରଭାବରେ ବର୍ଷା ଲାଗିରହିଥିବା ବେଳେ ଗତ ୨୮ ତାରିଖ ଦିନ ଏମସିଏଲ ଏବଂ ତାଳଚେର ଉପଖଣ୍ଡ ପ୍ରଶାସନ ମିଳିତ ଭାବେ ହିଲୋଇ ଗ୍ରାମର ଘର ଗୁଡ଼ିକୁ ଉଚ୍ଛେଦ କରିଥିଲେ । ବିନା କୌଣସି ଉଚ୍ଛେଦ ନୋଟିସରେ ଘର ଗୁଡ଼ିକୁ ଭାଙ୍ଗିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେବଳ ଗୋଟିଏ ଦିନ ପୂର୍ବରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ଉଚ୍ଛେଦ ହେବା ସୂଚନା ଦେଇ ତା ପରଦିନ ତରବରିଆ ଭାବେ ଘର ଗୁଡ଼ିକୁ ଭାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସ୍ଥାୟୀ ଥଇଥାନ , ଜାଗାର ଉଚିତ୍ ମୂଲ୍ୟ ଦେବା ପରିବର୍ତ୍ତେ ଏମସିଏଲ ସହ ଉପଖଣ୍ଡ ପ୍ରଶାସନ ମିଶି ଅନ୍ୟାୟ ଭାବେ ଗ୍ରାମବାସୀଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସ୍ଥାନୀୟ ବିଧାୟକ ପ୍ରତିବାଦ କରିବା ସତ୍ତ୍ୱେ ତାଙ୍କ କଥାକୁ ଭ୍ରୁକ୍ଷେପ ନକରି ଉପଖଣ୍ଡ ପ୍ରଶାସନ ଓ ଏମସିଏଲ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ଗ୍ରାମବାସୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯାଇଥିବା ବେଳେ କୌଣସି କ୍ଷତିପୂରଣ ଓ ଥଇଥାନ ନକରି କିଭଳି ଘର ଗୁଡିକୁ ଉଛେଦ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।ମାଟିରେ ମିସାଇଦେବା କେଉଁ ଉଦେଶ୍ୟ ରଖି ଏମସିଏଲ ଘରଗୁଡିକୁ କିଭଳି ବିନା ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଘର ଭାଙ୍ଗିବାପାଇଁ ନିର୍ଦ୍ଦେଶ ଦେଇଥିଲେ ତାହା ଗ୍ରାମବାସୀ ପ୍ରଶ୍ନ କରିଥିଲେ । ଗୋଟିଏ ରାତି ଭିତରେ ଘରୁ ଜିନିଷ ପତ୍ର , ଗାଈଗୋରୁ ଆଦିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନ କରି ପାରି ଢ଼ୁ ଢ଼ୁ ବର୍ଷାରେ ଗଛ ମୂଳେ ଓଦା ହେବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଘଟଣାର ତଦନ୍ତ କରି ଉଚିତ୍ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ କଡ଼ା ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

