
ରାଉରକେଲାରେ ମାତିଲେ ଚୋର । ଆଜବେଷ୍ଟ ଭାଙ୍ଗି ଦୋନାକରୁ କଳାକନା ବୁଲାଇଛନ୍ତି । ସେକ୍ଟର -୭ ଥାନା ଅନ୍ତର୍ଗତ ସେକ୍ଟର – ୬ ଏଚ୍ ବ୍ଲକ୍ ମାର୍କେଟରେ ୬ଟି ଦୋକାନରୁ ଚୋରି ହୋଇଛି । ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଚୋର । ଆଜବେଷ୍ଟ ଭାଙ୍ଗି ଦୋକାନରେ ପଶି ନଗଦ ଟଙ୍କା ସହ ଜିନିଷ ପତ୍ର ଚୋରି କରିନେଇଛନ୍ତି । ଆଜି ସକାଳେ ଦୋକାନୀମାନେ ଦୋକାନ ଖୋଲିବାକୁ ଆସି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ମାର୍କେଟ୍ରେ ସମସ୍ତ ଦୋକାନୀ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।
ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଦୋକାନୀ ଓ ଅଞ୍ଚଳବାସୀ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଘେରାଉ କରିଥିଲେ। ଏହି ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉନାହିଁ ବୋଲି କହିଛନ୍ତି । ଏପରିକି ପାଟ୍ରୋଲିଂ ମଧ୍ୟ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଚୋରମାନେ ଦୋକାନଗୁଡ଼ିକର ଆଜବେଷ୍ଟସ ଭାଙ୍ଗି ଭିତରେ ପଶି ନଗଦ ଟଙ୍କା ଓ ଜିନିଷ ପତ୍ର ନେଇ ଯାଇଛନ୍ତି । ପୁଲିସ ଦୋକାନୀଙ୍କୁ ସୁରକ୍ଷା ଦେବା ସହ ପାଟ୍ରୋଲିଂ କଡ଼ିକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

