
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଙ୍ଗେଇଲ ଗାଁରେ ଜଙ୍ଗଲୀ ବାରହା ଉପଦ୍ରବ ଯୋଗୁଁ ଏବେ ଚିନ୍ତାରେ ଚାଷୀ। ଏକର ଏକର ପରିମିତ ଧାନ ଫସଲକୁ ନଷ୍ଟ କରିଛନ୍ତି ବାରହା। ଫଳରେ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ। ଧାର କରଜ କରି ନିଜ ଚାଷ ଜମିରେ ବର୍ଷକର ଧାନ ଫସଲ କରିଥିଲେ ଚାଷୀ। କିନ୍ତୁ ଠିକ ଧାନ ଫସଲ ଅମଳ ସମୟରେ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଏହି ବାରହା ଉପଦ୍ରବ। କଙ୍ଗେଇଲ ଗାଁର ଚାଷୀ ନିହାର ରଞ୍ଜନ ସାହୁ,ଚନ୍ଦନ ସାମଲ, ଟଙ୍କଧର ସାମଲ, ଅଜୟ ସାମଲ ଏବଂ ପ୍ରଉସ ସାମଲଙ୍କର ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ତୁରନ୍ତ ବନ ବିଭାଗ ପକ୍ଷରୁ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବକୁ ରୋକିବା ସହ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
