
ଲଣ୍ଡନରେ ଲଜ୍ଜା । ଦୁଷ୍କର୍ମର ଶିକାର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ । ବ୍ରିଟେନ୍ରେ ଘଟିଛି ଏପରି ଅଭାବନୀୟ ଘଟଣା । ଇଂଲଣ୍ଡରେ ଜଣେ ୨୦ ବର୍ଷୀୟ ଭାରତୟୀ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବ୍ରିଟିଶ୍ ପୁଲିସ୍ ମୁତାବକ, ଉତ୍ତର ଇଂଲଣ୍ଡରେ ଭାରତୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି । ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ ହୋଇଛି । ଅଭିଯୁକ୍ତ ଦେଖିବାକୁ ମିଳିଲେ ଜଣାଇବାକୁ ପୁଲିସ୍ ଅପିଲ୍ କରିଛି ।
ପଶ୍ଚିମ ମିଡଲ୍ୟାଣ୍ଡସ୍ ପୁଲିସ ସିସିଟିଭି ଫୁଟେଜ୍ ଜାରି କରିଛି । ସିସିଟିଭିରେ ନଜର ଆସୁଥିବା ଜଣେ ଅଜଣା ଯୁବକଙ୍କୁ ଖୋଜିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି । ପୁଲିସ କହିଛି ଯେ, ଶନିବାର ସନ୍ଧ୍ୟାରେ ୱାଲସଲର ପାର୍କ ହଲ୍ ଅଞ୍ଚଳରୁ ଜଣେ ଯୁବତୀ ଫୋନ କରି ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବତୀଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିବା ଦେଖିବାକୁ ପାଇଥିଲା । ପାର୍କରେ ବୁଲୁଥିବା ବେଳେ ହଠାତ୍ ଜଣେ ଅଜଣା ଯୁବକ ଭାରତ ଫେରିଯିବାକୁ କହି ଏଭଳି ଅପରାଧ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ଏହି ଅପରାଧକୁ “ଜାତିଗତ ଭେବଭାବ” ବୋଲି କହି ପଶ୍ଚିମ ମିଡଲ୍ୟାଣ୍ଡସ୍ ପୁଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସିସିଟିଭି ଫୁଟେଜ୍ ଜାରି କରିଛି ।
ପୁଲିସ କହିଛି ଯେ, “ଏହା ଜଣେ ମହିଳାଙ୍କ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା । ଆମେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ । ଆମ ପାଖରେ ପ୍ରମାଣ ସଂଗ୍ରହ କରୁଥିବା ଅଧିକାରୀଙ୍କ ଏକ ଦଳ ରହିଛି। ଆକ୍ରମଣକାରୀଙ୍କ ଏକ ପ୍ରୋଫାଇଲ୍ ବର୍ତ୍ତମାନ ପ୍ରସ୍ତୁତ କରାଯାଉଛି ଯାହା ଦ୍ଵାରା ତାକୁ ଯଥାଶୀଘ୍ର ଅଟକ ରଖାଯାଇପାରିବ। “

