
କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ସଦର ବ୍ଲକର ଆଲିଗାଁ ନିକଟ କଫି ଫାର୍ମ ପାଖରେ ଅଘଟଣ । ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବତୀ ଆହତ ହୋଇଛନ୍ତି । ମୃତକ ଘାଟଗୁଡ଼ା ଗାଁର ସଞ୍ଜୟ ବଡ ନାୟକ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ସେମିଳିଗୁଡା ବ୍ଲକର ଦୁଧାରି ଗ୍ରାମ ପଞ୍ଚାୟତର ଘାଟଗୁଡ଼ା ଗାଁର ଜଣେ ଯୁବକଙ୍କ ସହ ଆଲିଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଶୁକ୍ରବାର ରାତିରେ ଦୁହେଁ ଦେଖା କରିବାକୁ ଆସିଥିବା ବେଳେ କିଛି ବନ୍ୟଜନ୍ତୁ ଶିକାରୀ ବାର୍ହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇ ଥିଲେ । ଫଳରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘାଟଗୁଡ଼ା ଗାଁର ସଞ୍ଜୟ ବଡ ନାୟକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏଥିରେ ଯୁବତୀ ଜଣଙ୍କ ଆହତ ହୋଇଥିଲେ। ଏସମ୍ପର୍କରେ ଖବର ପାଇ ସେମିଳିଗୁଡ଼ା ଥାନା ଅଧିକାରୀ ଅନିତା କୁଜୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟ ପଠାଇଛନ୍ତି । ଏହା ସହ ଆଲିଗାଁର ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।
