
ଚିକିତ୍ସା ଲାଗି ମେଡିକାଲ ଯାଇଥିଲେ । ସେଠାରୁ ଚିକିତ୍ସା ହୋଇ ଘରକୁ ଫେରୁଥିଲେ । ମେଡିକାଲରୁ ଘରକୁ ଫେରିବା ବାଟରେ ଘଟିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ବଲାଙ୍ଗୀର ପୁଇଁନ୍ତଳା ଥାନା ଜାମସର ଠାରେ ଏଭଳି ଘଟଣା ଘଟିଛି ।
ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ମଜର ସେଠ ଓ ତାଙ୍କ ବଡ଼ ଭାଇ ଓ ସ୍ତ୍ରୀ ବୁର୍ଲା ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ଚିକିତ୍ସା ହେବା ପରେ ମା ସମଲେଶ୍ୱରୀଙ୍କ ଦର୍ଶନ କରିବାକୁ ମନ୍ଦିର ଯାଇଥିଲେ । ପରେ ଏକ ବୋଲେରୋରେ ସମ୍ବଲପୁରରୁ କଳାହାଣ୍ଡି ଫେରୁଥିଲେ । ଏହି ସମୟରେ ବଲାଙ୍ଗୀର ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଗାଡ଼ିରେ ମଜର ସେଠ, ତାଙ୍କ ସ୍ତ୍ରୀ ଓ ବଡ଼ ଭାଇ ସହ କଳାହାଣ୍ଡି ଅଞ୍ଚଳର ଆଉ ୪ ଜଣ ଥିଲେ । ହେଲେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଯାହାଫଳରେ ଗାଡ଼ି ଥିବା ଯାତ୍ରୀମାନେ ଆହତ ହୋଇଥିଲେ । ଆହତଙ୍କ ମଧ୍ୟ କବିରାମ ଜଗତ ନାମକ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇଥିଲା । ମେଡିକାଲ ଯିବା ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଯାଇଛି । ବାକି ଅନ୍ୟମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଡ୍ରାଇଭର ଜଣକ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଲାଗି ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେପଟେ ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଉଭୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
